ଥୋମାସ୍‌ କପ୍‌: ଇଂଲଣ୍ଡକୁ ହରାଇ କ୍ୱାର୍ଟରରେ ଭାରତ

ଇଂଲଣ୍ଡକୁ ଏକପାଖିଆ ୫-୦ରେ ପରାସ୍ତ କରିବା ସହ ଗ୍ରୁପ୍‌ ସିରେ ସ୍ଥାନ ପାଇଥିବା ଭାରତ କ୍ୱାର୍ଟରରେ ପ୍ରବେଶ କରିଛି। ପୂର୍ବରୁ ଭାରତ ଏହାର ପ୍ରଥମ ମ୍ୟାଚ୍‌ରେ ଥାଇଲାଣ୍ଡକୁ ୪-୧ରେ ହରାଇଥିଲା। କ୍ରମାଗତ ଦ୍ୱିତୀୟ ବିଜୟ ସହ ଭାରତ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଛି।

ଥୋମାସ୍‌ କପ୍‌ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡକୁ ଏକପାଖିଆ ୫-୦ରେ ପରାସ୍ତ କରିବା ସହ ଗ୍ରୁପ୍‌ ସିରେ ସ୍ଥାନ ପାଇଥିବା ଭାରତ କ୍ୱାର୍ଟରରେ ପ୍ରବେଶ କରିଛି। ପୂର୍ବରୁ ଭାରତ ଏହାର ପ୍ରଥମ ମ୍ୟାଚ୍‌ରେ ଥାଇଲାଣ୍ଡକୁ ୪-୧ରେ ହରାଇଥିଲା। କ୍ରମାଗତ ଦ୍ୱିତୀୟ ବିଜୟ ସହ ଭାରତ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଛି।

ରବିବାର ଭାରତୀୟ ସଟଲର୍‌ ଏଚ୍‌ ଏସ୍‌ ପ୍ରଣୟ ପ୍ରଥମ ମ୍ୟାଚ୍‌ରେ ୨୧-୧୫, ୨୧-୧୫ ସେଟରେ ହ୍ୟାରି ହୁଆଙ୍ଗଙ୍କୁ ପରାସ୍ତ କରି ୧-୦ରେ ଆଗୁଆ କରିଥିଲେ। ବିଶ୍ୱ ମାନ୍ୟତାର ଏକ ନମ୍ବର ଡବଲ୍ସ ଯୋଡି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଦ୍ୱିତୀୟ ମ୍ୟାଚକୁ ୨୧-୧୭, ୧୯-୨୧ ଓ ୨୧-୧୫ ସେଟରେ ଜିତି ନେଇଥିଲେ। ୨୦୨୨ ବିଶ୍ୱ ଚାମ୍ପିୟନଶିପ ବ୍ରୋଞ୍ଜ ପଦକ ବିଜୟୀ ଯୋଡି ୧ ଘଣ୍ଟା ୫ ମିନିଟ ସମୟ ନେଇ ବେନ୍‌ ଲେନ୍‌ ଓ ସିନ୍‌ ଭେଣ୍ଡିଙ୍କୁ ପରାସ୍ତ କରିଥିଲେ। ସେହିପରି ପୂର୍ବତନ ବିଶ୍ୱ ମାନ୍ୟତାର ଏକ ନମ୍ବର ଖେଳାଳି କିଡାମ୍ବି ଶ୍ରୀକାନ୍ତ ୨୧-୧୬, ୨୧-୧୧ ସେଟରେ ନଦୀମ ଡାଲଭିଙ୍କୁ ହରାଇବା ସହ ଭାରତକୁ ୩-୦ରେ ଆଗୁଆ କରିଥିଲେ।

ରିଭର୍ସ ଡବଲ୍ସରେ ଭାରତ ପକ୍ଷରୁ ଏମ୍‌.ଆର. ଅର୍ଜୁନ ଓ ଧ୍ରୁବ କପିଳା ୨୧-୧୭, ୨୧-୧୯ରେ ରୋରି ଇଷ୍ଟନ ଓ ଆଲେକ୍ସ ଗ୍ରୀନଙ୍କୁ ପରାସ୍ତ କରିଥିଲେ। ସେହିପରି ଅନ୍ତିମ ସିଙ୍ଗଲ୍ସ ମ୍ୟାଚ୍‌ରେ ୨୪ ବର୍ଷୀୟ କିରଣ ଜର୍ଜ ଜିତି ନେଇଥିଲେ। ୨୧-୧୮, ୨୧-୧୨ ସେଟରେ ସେ ଚୋଲାନ କାୟାନଙ୍କୁ ପରାସ୍ତ କରିଥିଲେ। ଭାରତର ବିଜୟକୁ ନେଇ ୨ ସିନିୟର ଖେଳାଳି ପ୍ରଣୟ ଓ ଶ୍ରୀକାନ୍ତ ଖୁସି ଜାହିର କରିଛନ୍ତି। ମ୍ୟାଚ୍‌ ଜିତିବା ପାଇଁ ଖେଳାଳିଙ୍କ ଉପରେ ପ୍ରବଳ ଚାପ ରହିଥାଏ। ତେବେ ସମସ୍ତ ଖେଳାଳି ଏହାର ସଠିକ୍‌ ମୁକାବିଲା କରିବାରେ ସମର୍ଥ ହୋଇଥିବା ଉଭୟ ଖେଳାଳି ମତ ଦେଇଛନ୍ତି।

ଭାରତ ଏହାର ଅନ୍ତିମ ଗ୍ରୁପ ମ୍ୟାଚ୍‌ରେ ଗ୍ରୁପ୍‌ ଟପ୍ପର ଇଣ୍ଡୋନେସିଆକୁ ଭେଟିବ। ରେକର୍ଡ ୧୪ ଥର ଚାମ୍ପିୟନ ହୋଇଥିବା ଇଣ୍ଡୋନେସିଆ ସହ ମ୍ୟାଚ ପରେ ଗ୍ରୁପ୍‌ ସିର ପ୍ରଥମ ୨ ସ୍ଥାନ ନିର୍ଦ୍ଧାରଣ ହେବ।