ଆଜି ଦିଲ୍ଲୀ-ହାଇଦ୍ରାବାଦ ସାମ୍ନାସାମ୍ନି

ଆବୁଧାବି: ଚଳିତ ଆଇପିଏଲର ମ୍ୟାଚ୍ ନଂ ୧୧ରେ ଆଜି ପରସ୍ପରକୁ ଭେଟିବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ। ଆଜିର ମ୍ୟାଚକୁ ଜିତିଲେ ଦିଲ୍ଲୀର ହାଟ୍ରିକ୍ ବିଜୟ ହେବ। ସେହିଭଳି ଆଜିର ମ୍ୟାଚକୁ ହାଇଦ୍ରାବାଦ ହାରିଲେ ଦଳର ହାଟ୍ରିକ୍ ହାର ହେବ। ଏ ଦୃଷ୍ଟିରୁ ଆଜିର ମୁକାବିଲା ବେଶ ଦମଦାର ହେବା ଆଶା କରାଯାଉଛି।

ଦିଲ୍ଲୀ ଏପର୍ଯ୍ୟନ୍ତ ଖେଳିଥିବା ଦୁଇଟି ଯାକ ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଅନ୍ୟପଟେ ହାଇଦ୍ରାବାଦ ଖେଳିଥିବା ଦୁଇଟି ମ୍ୟାଚ୍ ହାରି ପଏଣ୍ଟ ଟେବୁଲର ପୁରା ତଳେ ପଡ଼ିଛି। ପ୍ରଥମ ଦୁଇଟି ମ୍ୟାଚରେ ଦିଲ୍ଲୀ ଏଥର ଶକ୍ତିଶାଳୀ ନଜର ଆସୁଥିବା କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇଛି। ପଞ୍ଜାପ ବିପକ୍ଷରେ ଦଳ ସୁପର ଓଭରରେ ଜିତିଥିବା ବେଳେ ଚେନ୍ନାଇକୁ ୪୪ ରନ୍ ବ୍ୟବଧାନରେ ହରାଇଥିଲା। ଏ ଦୃଷ୍ଟିରୁ ଐଜିର ମ୍ୟାଚରେ ଦିଲ୍ଲୀର ପଲ୍ଲା ଭାରି ରହିବା ସ୍ୱାଭାବିକ।

ଏପଟେ ହାଇଦ୍ରାବାଦ ଦୁଇଟି ମ୍ୟାଚରେ ଯଥାକ୍ରମେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲକାତା ନାଇଟ ରାଇଡର୍ସ ଠାରୁ ହାରିଛି। ବାଙ୍ଗାଲୋର ବିପକ୍ଷରେ ଦଳ ପ୍ରଥମେ ଖେଳି ୧୫୩ ଏବଂ କୋଲକାତା ବିପକ୍ଷରେ ୧୪୫ ରନ ସଂଗ୍ରହ କରିଥିଲା। ଯାହାକୁ ଉଭୟ ଦଳ ସହଜରେ ଚେଜ କରିବା ସହ ମ୍ୟାଚ୍ ଜିତି ନେଇଥିଲେ। ହାଇଦ୍ରାବାଦର ବ୍ୟାଟିଂ ୟୁନିଟ ଦୁର୍ବଳ ରହିଥିବା ଏହା ସ୍ପଷ୍ଟ ଦର୍ଶାଉଛି। କେବଳ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଧିନାୟକ ୱାର୍ଣ୍ଣର ଏବଂ ବେୟାରଷ୍ଟୋଙ୍କୁ ଛାଡ଼ିଦେଲେ ଦଳରେ କେହି ବଡ଼ ହିଟର୍ ନାହାନ୍ତି। ମନିଷ ପାଣ୍ଡେ ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସୁଥିବା ବେଳେ ତାଙ୍କ ପଛକୁ ଦଳରେ ଆଉ କେହି ଆଖିଦୃଶିଆ ଖେଳାଳି ନଜର ଆସୁନାହାନ୍ତି। ଏହା ନିଶ୍ଚିତପକ୍ଷେ ଏକ ଚିନ୍ତାର କାରଣ।