ଇତିହାସ ରଚିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ

India At Paralympics

ଭୁବନେଶ୍ୱର,(ଏସ୍ ନ୍ୟୁଜ୍)ତା ୦୪।୦୫: ଟୋକିଓ ପାରାଲିମ୍ପିକ୍ସରେ ବ୍ୟାଡ୍‌ମିଣ୍ଟନ ପୁରୁଷ ଏକକ ବର୍ଗରେ ସ୍ଵର୍ଣ ପଦକ ଜିତି ଇତିହାସ ରଚିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ । ପୁରୁଷ ବ୍ୟାଡମିଣ୍ଟନ ସିଙ୍ଗଲସ୍‌ ଏସ୍‌ଲ୍‌ -ଥ୍ରୀ ଫାଇନାଲରେ ବ୍ରିଟେନ୍‌ର ଡାନିଏଲ ବେଥେଲଙ୍କୁ ହରାଇ ପ୍ରଥମ ଭାରତୀୟ ଭାବେ ସେ ପାରାଲିମ୍ପିକ୍ସରେ ବ୍ୟାଡ୍‌ମିଣ୍ଟନରେ ସ୍ଵର୍ଣ ଜିତିଛନ୍ତି । ଅଲିମ୍ପିକ୍ସରେ ମଧ୍ୟ କୌଣସି ଭାରତୀୟ ଏ ପର୍ଯ୍ୟନ୍ତ ବ୍ୟାଡମିଣ୍ଟନରେ ସ୍ଵର୍ଣ୍ଣ ପଦକ ଜିତି ନାହାନ୍ତି । ସେହି ଅପୂରଣୀୟ ଅଭାବକୁ ଆଜି ପ୍ରମୋଦ ପୂରଣ କରି ଦେଇଛନ୍ତି।

ପାରା ଅଲିମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ସ୍ବର୍ଣ୍ଣ ପଦକ ଜିତି ଦେଶ ସହ ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି । ଫାଇନାଲ୍ରେ ସେ ବ୍ରିଟେନର ଡେନିଏଲ ବେଥେଲଙ୍କୁ ହରାଇ ଏହି ସଫଳତା ପାଇଛନ୍ତି । ଫାଇନାଲରେ ପ୍ରଥମ ସେ ୨୧-୧୪ ଗେମ୍ରେ ବିଜୟୀ ହୋଇଥିଲେ । ସେହିଭଳି ଦ୍ବିତୀୟ ସେଟ୍ରେ ବି ପ୍ରମୋଦଙ୍କ ଦବ୍ଦବା ଜାରି ରହିଥିଲା । ସେ ୨୧-୨୭ ଗେମ୍ରେ ଏହି ସେଟ୍କୁ ଜିତି ନେଇଥିଲେ । ୪୫ ମିନିଟ୍ ଧରି ଏହି ମ୍ୟାଚ୍ ଚାଲିଥିଲା। ସେମିଫାଇନାଲରେ ଜାପାନର ଫୁଜିହାରାଙ୍କୁ ହରାଇ ସିଙ୍ଗଲସ ଏସଏଲ-୩ ଫାଇନାଲରେ ପ୍ରବେଶ କରିଥିଲେ ଭଗତ ।

ପ୍ରଥମ ଥର ପାଇଁ ପାରା ଅଲିମ୍ପିକ୍ସରେ ଭାଗନେଇ ସ୍ବର୍ଣ୍ଣ ପଦକ ଜିତିନେଇଛନ୍ତି । ପାରା ଅଲିମ୍ପିକ୍ସରେ ପ୍ରଥମ ଓଡ଼ିଶା ତଥା ଭାରତୀୟ ଖେଳାଳି ଭାବେ ଏହି ସଫଳତା ଆଣିଛନ୍ତି ପ୍ରମୋଦ ଭଗତ । ପ୍ରମୋଦଙ୍କ ସଫଳତାରେ ବେଶ ଖୁସି ତାଙ୍କ ପରିବାର ଓ ଗାଁ ଲୋକେ । ପାରା ବ୍ୟାଡମିଣ୍ଟନ୍‌ରେ ବିଶ୍ବର ଏକନମ୍ବର ସ୍ଥାନରେ ଥିବା ପ୍ରମୋଦ ସ୍ବର୍ଣ୍ଣ ଜିତିବେ ବୋଲି ସମସ୍ତେ ଆଶା କରିଥିଲେ । ଆଉ ପ୍ରମୋଦ ସମସ୍ତଙ୍କ ଆଶାକୁ ପୁରଣ କରିଥିବାରୁ ବରଗଡର ଅତାବିରାରେ ଗାଁ ଲୋକେ ବେଶ ଖୁସି । ଘର ବାହାରେ ଲୋକେ ବାଣ ଫୁଟାଇ ଖୁସି ମନାଇଛନ୍ତି । ସେହପରି ଭୁବନେଶ୍ବର ସ୍ଥିତ ଘରେ ମଧ୍ୟ ବେଶ ଆନନ୍ଦିତ ହୋଇଛନ୍ତି ସମସ୍ତେ ।

ପ୍ରମୋଦଙ୍କ ଏହି ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କେନ୍ଦ୍ର କ୍ରିଡାମନ୍ତ୍ରୀ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।