ବିରାଟ କୋହଲିଙ୍କ ମନ୍ତବ୍ୟକୁ ଟଙ୍କାଠାରୁ ମୂଲ୍ୟବାନ କହିଲେ ଶ୍ରେୟଙ୍କା

ନୂଆଦିଲ୍ଲୀ: ଜଣକୁ ଆଦର୍ଶ ମଣିଥିବା ବ୍ୟକ୍ତିଙ୍କ ମୁହଁରୁ ଆପଣାର ନାମ ଶୁଣିବା ପରେ କିଏ ବା’ ଆଶ୍ଚର୍ଯ୍ୟ ଚକିତ ନ ହେବ? ଏମିତି ଏକ ଘଟଣା ଘଟିଛି ଭାରତର ଉଦୀୟମାନ ମହିଳା ବୋଲର ଶ୍ରେୟଙ୍କା ପାଟିଲଙ୍କ କ୍ଷେତ୍ରରେ । ଚଳିତ ମହିଳା ଆଇପିଏଲରେ ରୟାଲ ଚାଲେଂଜର୍ସ ବେଙ୍ଗାଲୁରୁ ଟିମର ଜବରଦସ୍ତ ଅଫ୍‌ ସ୍ପିନର ୨୧ ବର୍ଷୀୟା ଶ୍ରେୟଙ୍କା ପାଟିଲ ତାଙ୍କର ବୋଲିଂ ଯାଦୁ ଦେଖାଇ ଟିମ୍‌ ଇଣ୍ଡିଆର ଦୁର୍ଦ୍ଧଷ ଖେଳାଳି ବିରାଟ କୋହଲିଙ୍କ ପ୍ରିୟଭାଜନ ହୋଇପାରିଛନ୍ତି ।

ଏ ସଂପର୍କରେ ଶ୍ରେୟଙ୍କା କହିଛନ୍ତି, ‘ପିଲାଦିନରୁ ମୁଁ ବିରାଟ କୋହଲିଙ୍କୁ ମୋର ଆଦର୍ଶ ଭାବେ ଧରିନେଇଛି । ଚଳିତ ଆଇପିଏଲରେ ମୋର ବୋଲିଂ ତାଙ୍କ ମନକୁ ପ୍ରଭାବିତ କରିଛି । ବିରାଟ କୋହଲିଙ୍କ ନିକଟରୁ ମୋ ନାମ ଶୁଣି ମୁଁ ସତରେ ଆତ୍ମହରା ହୋଇଯାଇଛି । ତାଙ୍କ ଭଳି ଜଣେ ବିରାଟ ବ୍ୟକ୍ତିତ୍ୱଙ୍କ ମୁହଁରୁ ମୁଁ ମୋର ନାମ ଶୁଣିବି ବୋଲି କେବେ ଭାବି ନଥିଲି । ମୋ ପ୍ରତି ତାଙ୍କ ସାବାସି ନିକଟରେ କୋଟିକୋଟି ଟଙ୍କା ମୂଲ୍ୟହୀନ ।’