ଟି-୨୦ ବିଶ୍ୱକପ୍‌: ଚିତାଠାରୁ ବେଗଗାମୀ ଶମୀଙ୍କ କାନ୍ଧରେ ଗୁରୁଦାୟିତ୍ୱ

ଗୋଟିଏ ଓଭରରେ କଙ୍ଗାରୁ ଟିମକୁ ଧୂଳି ଚଟାଇ ଶମୀ ତାଙ୍କର ଦକ୍ଷତା ପ୍ରମାଣ କରିଛନ୍ତି…..

ନୂଆଦିଲ୍ଲୀ: କରୋନାକୁ ହରାଇ ଟି-୨୦ ବିଶ୍ୱକପ୍‌କୁ ଫେରିଥିବା କ୍ଷୀପ୍ର ବୋଲର ମହମ୍ମଦ ଶମୀ ତାଙ୍କର ହାତର ଚମକ୍ରାର ଦେଖାଇ ସାରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ମଇଦାନକୁ ଓହ୍ଲାଇ ମହମ୍ମଦ ଗୋଟିଏ ଓଭର ବୋଲିଂ କରିଥିଲେ । ଉକ୍ତ ଓଭରରେ ଶମି ମାତ୍ର ଚାରି ରନ୍‌ ବିନିମୟରେ ତିନୋଟି ୱିକେଟ୍‌ ଦଖଲ କରିଥିଲେ । ତାଙ୍କର ଚମକପ୍ରଦ ବୋଲିଂ ଦକ୍ଷତା ଦେଖି କ୍ରିକେଟ୍‌ପ୍ରେମୀ ଭାରତ ହାତରେ ଟି-୨୦ ବିଶ୍ୱକପ୍‌ ସ୍ୱପ୍ନ ଦେଖିବା ଆରମ୍ଭ କରିଛନ୍ତି ।

ଅନ୍ୟତମ କ୍ଷୀପ୍ର ବୋଲର ଜସପ୍ରୀତ ବୁମରାହଙ୍କ ଅନୁପସ୍ଥିତିରେ ମହମ୍ମଦ ଶମୀଙ୍କ କାନ୍ଧରେ ଗୁରୁଦାୟିତ୍ୱ ଲଦି ଦିଆଯାଇଛି । ଚିତାଠାରୁ ଅଧିକ ବେଗରେ ଦୌଡୁଥିବା ଶମୀ ଯେକୌଣସି ଦକ୍ଷ ଓ ଅଭିଜ୍ଞ ବ୍ୟାଟ୍ସମ୍ୟାନଙ୍କୁ ସ୍ୱିଙ୍ଗ୍‌ ଜାଲରେ ପକାଇପାରନ୍ତି । ଯେକୌଣସି ଶକ୍ତିଶାଳୀ ଟିମର ଭାଗ୍ୟାକାଶରେ ଅନ୍ଧକାର ସୃଷ୍ଟି କରିପାରନ୍ତି । ଗୋଟିଏ ଓଭରରେ କଙ୍ଗାରୁ ଟିମକୁ ଧୂଳି ଚଟାଇ ଶମୀ ତାଙ୍କର ଦକ୍ଷତା ପ୍ରମାଣ କରିଛନ୍ତି ।

ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ର ଅନ୍ତିମ ଓଭର ପକାଇବା ପାଇଁ ଅଧିନାୟକ ରୋହିତ ଶର୍ମା ଶମୀଙ୍କୁ ସୁଯୋଗ ଦେଲେ । ଜିତିବା ପାଇଁ ଅଷ୍ଟ୍ରେଲିଆକୁ ୧୧ ରନ୍‌ ଦରକାର ଥିଲାବେଳେ ହାତରେ ଚାରିଟି ୱିକେଟ୍‌ ଥିଲା । କଙ୍ଗାରୁଙ୍କୁ ଜାଲରେ ପକାଇବା ପାଇଁ ଶମୀ ଓଭରର ପ୍ରଥମ ଦୁଇଟି ବଲରେ ଚାରି ରନ୍‌ ଦେଲେ । ମାତ୍ର ପରବର୍ତୀ ଚାରିଟି ବଲରେ ଲାଗଲାଗ ଚାରିଟି ୱିକେଟ୍‌ ନେଇ ଭାରତକୁ ଜିତାଇଲେ । ଚାରିଟି ୱିକେଟ୍‌ ଭିତରୁ ଶମୀ ତିନିଜଣଙ୍କୁ ବୋଲ୍ଡ ଆଉଟ୍‌ କରିଥିଲା ବେଳେ ଜଣକୁ ରନ୍‌ ଆଉଟ୍‌ କରିଥିଲେ । ଶେଷ ଦୁଇଟି ବଲରେ ଦୁଇ ବ୍ୟାଟ୍ସମ୍ୟାନଙ୍କୁ କ୍ଲିନ୍‌ ବୋଲ୍ଡ କରିବା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା ।

ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ ବନ୍ଧୁତ୍ୱପୂର୍ଣ୍ଣ ଥିବାରୁ କଥା ଅଲଗା । ଏବେ ୨୩ ତାରିଖରେ ପାକିସ୍ତାନ ବିପକ୍ଷରେ ଭାରତ ପ୍ରକୃତ ମ୍ୟାଚ୍‌ ଖେଳିବ । ଉକ୍ତ ମ୍ୟାଚ୍‌ରେ ଶମୀଙ୍କ ହାତର ଯାଦୁ ଦେଖିବାକୁ ପ୍ରଶଂସକମାନେ ଅନାଇ ରହିଛନ୍ତି । ପାକିସ୍ତାନ ଓ ଭାରତ ମଧ୍ୟରେ ଅନୁଷ୍ଠିତ ପ୍ରତ୍ୟେକଟି ମ୍ୟାଚ୍‌ ଉପରେ ସାରା ବିଶ୍ୱର ଦୃଷ୍ଟି ରହିଥାଏ । ବହୁଦିନ ପରେ ଭାରତ-ପାକିସ୍ତାନ ମୁକାବିଲା ହେଉଥିବାରୁ ଉଭୟ ଟିମ୍‌ ପ୍ରାଣମୂର୍ଚ୍ଛା ଖେଳିବେ ।