ବିରାଟ ଏବେ କେବଳ ଅନୁଷ୍କାଙ୍କର

କ୍ରିକେଟ୍‌ ପ୍ରତି ତାଙ୍କ ମନରେ ସରାଗ ନାହିଁ..

ମୁମ୍ବାଇ: ୨୦୧୯ ପରଠାରୁ କ୍ରିକେଟିୟର ବିରାଟ କୋହଲିଙ୍କ ବ୍ୟାଟ୍‌ରୁ ଶତକ ବାହାରିନି । ଗତ ବର୍ଷକ ଭିତରେ ତାଙ୍କ ଦକ୍ଷତା ଆହୁରି ତଳକୁ ଚାଲିଯାଇଛି । ଗତ ଟି-୨୦ ବିଶ୍ୱକପ୍‌ ପରେ ସେ ଟି-୨୦ ଫର୍ମାଟ୍‌ରୁ ଅଧିନାୟକ ପଦବୀ ଛାଡ଼ିବା ତାଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଛି ।

ପାକିସ୍ତାନ ବିପକ୍ଷରେ ଖେଳି ସାରିବା ପରେ ବିରାଟ ଗଣମାଧ୍ୟମ ଆଗରେ କହିଛନ୍ତି ଯେ ସେ ଦକ୍ଷିଣ ଆଫ୍ରିକା ସିରିଜ ଖେଳିବା ପରେପରେ ଅଚାନକ ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ଏକମାତ୍ର ମହେନ୍ଦ୍ର ସିଂ ଧୋନୀ ତାଙ୍କ ନିକଟକୁ ମେସେଜ୍‌ କରିଛନ୍ତି । ମନର ବ୍ୟଥାକୁ ବିଭିନ୍ନ ଆଳରେ ଜଣାଇ ବିରାଟ ପ୍ରଶଂସକଙ୍କ ସହାନୁଭୂତି ଚାହୁଁଛନ୍ତି; ମାତ୍ର ତାଙ୍କର ନୈରାଶ୍ୟଜନକ ଖେଳ ଅଧିକାଂଶ ପ୍ରଶଂସକଙ୍କୁ ମର୍ମାହତ କରିଛି ।

ଟି-୨୦ ଫର୍ମାଟରୁ ଇସ୍ତଫା ଘୋଷଣା ଅବସରରେ ବିରାଟ କହିଥିଲେ ଯେ ସେ ଟେଷ୍ଟ ଓ ଦିନିକିଆ ଉପରେ ଅଧିକ ଧ୍ୟାନ ଦେବାର ଅଭିପ୍ରାୟ ନେଇ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ମତରେ ଟି-୨୦ ଓ ଟେଷ୍ଟ ପାଇଁ ଜଣେ ଅଧିନାୟକ ରହିବା ଉଚିତ । ତେଣୁ ବିରାଟ କୋହଲିଙ୍କ ଟି-୨୦ ଫର୍ମାଟ୍‌ରୁ ଅବ୍ୟାହତି ଘୋଷଣାରେ ଗାଙ୍ଗୁଲି କ୍ଷୋଭ ପ୍ରକାଶ କରିଥିଲେ ।
ଗଣମାଧ୍ୟମ ଆଗରେ ବିରାଟ କହିଥିଲେ ଯେ ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ଟିମ ମନୋନୟନ ବୈଠକକୁ ତାଙ୍କୁ ଡକା ଯାଇଥିଲା; ଟିମ୍‌ ପାଇଁ ଖେଳାଳି ଚୟନ ସରିବା ପରେ ବିସିସିଆଇ ତାଙ୍କୁ ଟେଷ୍ଟ ଅଧିନାୟକ ପଦବୀ ଛାଡ଼ିବାକୁ ନିର୍ଦ୍ଦେଶ ଦେଲା ଯାହାକୁ ନେଇ ସେ ଗଭୀର ଦୁଃଖ ପ୍ରକାଶ କରିଥିଲେ ।

ମନର କଥା ମନରେ ଚାପି ସେ ପଡ଼ିଆରେ ଭଲ ଖେଳ ପ୍ରଦର୍ଶନ କରିବା ଉଚିତ ଥିଲା । ସେପରି କରିଥିଲେ ହୁଏତ ସେ ବିସିସିଆଇକୁ ମନାଇ ପାରିଥାନ୍ତେ । ମାତ୍ର ଏସିଆ କପ୍‌ ଅବସରରେ ସେ ଶ୍ରୀଲଙ୍କା ବିପକ୍ଷରେ ପଡ଼ିଆକୁ ଓହ୍ଲାଇ କୌଣସି ରନ୍‌ ନକରି ପାଭିଲିଅନ୍‌ ଫେରିଯାଇଥିଲେ । ତା’ ସହିତ ଫିଲଡିଂରେ ମଧ୍ୟ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଥିଲା । ସହଜ କ୍ୟାଚ୍‌ ବଲକୁ ହାତଛଡ଼ା କରି ସମାଲୋଚନାର ଶରବ୍ୟ ହୋଇଛନ୍ତି । ଯାହା ଜଣାପଡୁଛି, ତାଙ୍କ ମନରେ ଆଉ କ୍ରିକେଟ୍‌ ପ୍ରତି ଦୁର୍ବଳତା ନାହିଁ । ଯାହା ଦୁର୍ବଳତା ରହିଛି କେବଳ ପତ୍ନୀ ଅନୁଷ୍କା ଶର୍ମାଙ୍କ ପାଇଁ ।