ନିଜକୁ କଣ ଭାବୁଛନ୍ତି ପନ୍ତ! ନୋ ବଲକୁ ନେଇ ହାଇଡ୍ରାମା କରିବା ମହଙ୍ଗା ପଡିଲା

ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚର ଶେଷ ଓଭରରେ ନୋ ବଲକୁ ନେଇ..

ମୁମ୍ବାଇ: ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚର ଶେଷ ଓଭରରେ ନୋ ବଲକୁ ନେଇ ଯେଉଁ ବିବାଦ ଦେଖାଦେଇଛି ତାହାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । ଅନେକ ପୂର୍ବତନ କ୍ରିକେଟର ଦିଲ୍ଲୀ ଅଧିନାୟକ ରିଷଭ ପନ୍ତଙ୍କ ଆଭିମୁଖ୍ୟକୁ ନାପସନ୍ଦ କରିଥିବା ଦେଖାଯାଇଛି । ସୂଚନାଯୋଗ୍ୟ ଯେ, ମ୍ୟାଚ୍‌ ମଝିରୁ ଖେଳାଳୀଙ୍କୁ ପନ୍ତ ଫେରି ଆସିବାକୁ କହିବାକୁ ସହଜରେ ଗ୍ରହଣ କରିନାହାନ୍ତି ଅନେକ କ୍ରିକେଟର । ଏହି ମ୍ୟାଚରେ ଦିଲ୍ଲୀ ଅଧିନାୟକ ରିଷଭ ପନ୍ତ ଏବଂ କିଛି ଖେଳାଳି ଗୋଟିଏ ବଲକୁ ନୋ ବଲ ଦିଆଯାଇନଥିବାରୁ ବିବାଦ ସୃଷ୍ଟି କରିଥିଲେ ।

ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିବା ସହ କୋଚଙ୍କୁ ପଡିଆକୁ ପଠାଇବା ଘଟଣାରେ ପନ୍ତଙ୍କ ପୂରା ମ୍ୟାଚ୍‌ ଫି କଟାଯାଇଛି । ଏହାସହ ସହକାରୀ ପ୍ରଶିକ୍ଷକ ପ୍ରବୀଣ ଆମ୍ରେଙ୍କୁ ଗୋଟିଏ ମ୍ୟାଚ ପାଇଁ ବ୍ୟାନ କରାଯିବା ତାଙ୍କ ମ୍ୟାଚ ଫି’ର ୧୦୦ ପ୍ରତିଶତ ଜରିମାନା ମଧ୍ୟ କରାଯାଇଛି ।

ସୂଚନାଥାଉ କି ପ୍ରବୀଣ ଆମ୍ରେ ମ୍ୟାଚ୍‌ ମଝିରେ ନୋ-ବଲ୍‌ ବିବାଦ ବିଷୟରେ ଅନ୍‌ ଫିଲ୍ଡ ଅମ୍ପାୟାରଙ୍କ ସହ କଥା ହେବାକୁ ଯାଇଥିଲେ । ରାଜସ୍ଥାନ ୨୨୨ ରନ କରିବା ପରେ ଦିଲ୍ଲୀକୁ ୨୦୭ ରନରେ ରୋକି ଦେଇଥିଲା । ଦିଲ୍ଲୀର ପଶ୍ଚାତଧାବନ ବେଳେ ଶେଷ ଓଭରରୁ ଦଳକୁ ୩୬ ରନ୍‌ ଆବଶ୍ୟକ ଥିଲା । ପ୍ରଥମ ୩ ବଲକୁ ଛକା ମାରି ରୋଭମ୍ୟାନ୍‌ ପାୱେଲ ଆଶା ସଞ୍ଚାର କରିଥିଲେ । ତୃତୀୟ ବଲଟି ନୋ ବଲ ଥିବା ଦାବି କରି ଦିଲ୍ଲୀ ଖେଳାଳି, ପ୍ରଶିକ୍ଷକ ଓ ଅଧିନାୟକ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା ଏବଂ ପଡିଆ ଛାଡିବାର ଧମକ ଦେବା କାରଣରୁ ମ୍ୟାଚ ଅଟକିଥିଲା । ଅମ୍ପାୟାର କିନ୍ତୁ ଏହାକୁ ବିଚାରକୁ ନ ନେଇ ବୁଝାଇବା ପରେ ଶେଷ ୩ ବଲ ପଡିଥିଲା ।