ଧୋନିଙ୍କ ରାସ୍ତାରେ ରୈନା, ନେଲେ ଅବସର

ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନୀଙ୍କ ପରେ ସୁରେଶ ରୈନା ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ କୁ ବାଏ ବାଏ କରିଛନ୍ତି । ରୈନା ଇନଷ୍ଟାଗ୍ରାମରେ ପୋଷ୍ଟ କରି ନିଜର ଅବସରର ସୂଚନା ଦେଇଛନ୍ତି। ରୈନା ଲେଖିଛନ୍ତି ମାହି ଆପଣଙ୍କ ସହିତ ଖେଳିବା ବ୍ୟତୀତ ଆଉ କିଛି ନଥିଲା।ପୁରା ହୃଦୟରୁ ଗର୍ବର ସହିତ ମୁଁ ଏହି ଯାତ୍ରାରେ ଆପଣଙ୍କ ସହିତ ଜଡିତ ହେବାକୁ ଚାହୁଁଛି। ଧୋନୀ ଅବସର ନେବାର ମାତ୍ର କେଇଘଂଟା ପରେ ରୈନା ଅବସର ଘୋଷଣା କରିବା କ୍ରିଡାପ୍ରେମୀଙ୍କୁ ଚକିତ କରିଛି ।


ଭାତୀୟ କ୍ରିକେଟ ଟିମରେ ଯେତେବେଳେ ମିଡ଼ିଲ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଭିଡ଼ ଲାଗିଥିଲା, ଠିକ ସେତିକି ବେଳେ ରୈନା ପଦାର୍ପଣ କରିଥିଲେ । ପ୍ରଥମେ ଖେଳିବାର ସୁଯୋଗ ପାଇନଥିଲେ । ୨୦୦୫ରେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍ରେ ପଦାର୍ପଣ କରିଥିବା ରୈନା ମଧ୍ୟ କ୍ରମରେ ଏକ ମ୍ୟାଚ୍ ବିଜେତା ଖେଳାଳି ଥିଲେ। ଏହା ସହିତ ସେ କାମଚଳା ସ୍ପିନ ବୋଲିଂ କରିବା ସହିତ ନିଜର ଜବରଦସ୍ତ ଫିଲ୍ଡିଂ ପାଇଁ ଚର୍ଚ୍ଚାରେ ରହୁଥିଲେ। ପରେ ଟିମରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ସହ ଓପିନିଙ୍ଗ କରିବାର ସୁଯୋଗ ମଧ୍ୟ ପାଇଥିଲେ ।


ସେ ଦେଶ ପାଇଁ ମୋଟ ୧୮ ଟେଷ୍ଟ, ୨୨୬ ଦିନିକିଆ ଓ ୭୮ଟି ଟି-୨୦ ଅନ୍ତରାଷ୍ଟ୍ର‌୍ୟୀ ମ୍ୟାଚ୍ ଖେଳିଛନ୍ତି। ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ରେ ସେ ୭୦୦୦ରୁ ଅଧିକ ରନ କରିଛନ୍ତି। ଟେଷ୍ଟ କ୍ରିକେଟ୍ରେ ୭୬୮ ରନ କରିଛନ୍ତି। ଏଥିରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ରହିଛି । ଦିନିକିଆ କ୍ରିକେଟ୍ରେ ରୈନାଙ୍କ ୫,୬୧୫ ରନ କରିଛନ୍ତି । ଏଥିରେ ୫ ଶତକ ଓ ୩୬ ଅର୍ଦ୍ଧଶତକ ସାମିଲ ରହିଛି । ରୈନାଙ୍କ ଦିନିକିଆରେ ସର୍ବୋଚ୍ଚ ସ୍କୋର ୧୧୬ ରନ ରହିଛି। ଏହି ପରି ୭୮ଟି ଟି-୨୦ ମୁକାବିଲାରେ ମୋଟ୍ ୧୬୦୫ ରନ ରହିଛି। ଏଥିରେ ଗୋଟିଏ ଶତକ ଓ ୫ ଅର୍ଦ୍ଧଶତକ ସାମିଲ।


ଉଲ୍ଲେଖଯୋଗ୍ୟ ସୁରେଶ ରୈନା ଓ ମହେନ୍ଦ୍ର ସିଂହ ଧୋନୀ ସଂପ୍ରତି ଆଇପିଏଲ ୨୦୨୦ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଶିକ୍ଷଣ ଶିବିର ପାଇଁ ଚେନ୍ନାଇରେ ଅଛନ୍ତି। ଏହି ଦୁଇ ଖେଳାଳି ସାମାଜିକ ଗଣମାଧ୍ୟମରେ ସ୍ଵାଧୀନତା ଦିବସ ଅବସରରେ ନିଜ ଅବସରର ଘୋଷଣା କରିଛନ୍ତି।