ରିୟାଙ୍କ ଜାମିନ ଆବେଦନ ଖାରଜ

ମୁମ୍ବାଇ: ଡ୍ରଗ୍ସ ଲିଙ୍କ୍ ମାମାଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନକୁ ପୁଣି ଥରେ ଖାରଜ କରିଛନ୍ତିି ମୁମ୍ବାଇର ସ୍ବତନ୍ତ୍ର କୋର୍ଟ। ରିୟା ଓ ତାଙ୍କ ଭାଇ ସୌଭିକଙ୍କ ସମେତ ମୋଟ ୬ ଅଭିଯୁକ୍ତଙ୍କର ମଧ୍ୟ ଜାମିନ ଆବେଦନ ଖାରଜ ହୋଇଛି।

ଲଗାତାର ୩ ଦିନ ଧରି ଜେରା କରିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ସେପ୍ଟେମ୍ବର ୮ରେ ଅଭିନେତ୍ରୀ ରିୟାଙ୍କୁ ଗିରଫ କରିଥିଲା। ଗିରଫତ ତୁରନ୍ତ ପରେ ରିୟାଙ୍କ ଓକିଲ ଜାମିନ ଆବେଦନ କରିଥିଲେ ହେଁ ଅଦାଲତ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଆଜି ପୁଣିଥରେ ତାଙ୍କ ସହିତ ଅନ୍ୟ ୫ ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ନାମଞ୍ଜୁର ହୋଇଛି। ଏହା ପରେ ରିୟାଙ୍କ ଓକିଲ ସତିଶ ମାନେସିନ୍ଦେ କହିଛନ୍ତି କି ଆଦେଶର କପି ମିଳିଲା ପରେ ସେ ଆସନ୍ତା ସପ୍ତାହରେ ହାଇକୋର୍ଟ ଯିବାନେଇ ନିଷ୍ପତ୍ତି ନେବେ।

ଜାମିନ ଆବେଦନରେ ରିୟା ଉଲ୍ଲେଖ କରିଥିଲେ ଯେ, ଦୋଷ ସ୍ୱୀକାର କରିବା ପାଇଁ ତାଙ୍କ ଉପରେ ଚାପ ପକାଯାଇଛି। ଜେଲ୍‌ରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ତାଙ୍କୁ ଦୁଷ୍କର୍ମ ସହ ହତ୍ୟାଧମକ ମଧ୍ୟ ମିଳୁଛି। ତିନି ତିନିଟି ତଦନ୍ତକାରୀ ସଂସ୍ଥା(ସିବିଆଇ, ଇଡି, ଏନସିବି) ପକ୍ଷରୁ ତାଙ୍କୁ ଲଗାତାର ଜେରା କରାଯାଉଥିବାରୁ ସେ ମାନସିକ ସ୍ତରରେ ଅସୁସ୍ଥ ହୋଇପଡ଼ିଛନ୍ତି। ସେ କିଛି ଭୁଲ୍ କରିନାହାନ୍ତି ବରଂ ତାଙ୍କୁ ମିଛରେ ଫଶାଯାଇଛି ବୋଲି କହିଛନ୍ତି ରିୟା।

ସୂଚନାଯୋଗ୍ୟ, ସୁଶାନ୍ତ ସିଂ ରାଜପୁତଙ୍କୁ ଡ୍ରଗ୍ସ ଆଣି ଦେଉଥିବା ନିଜେ ସ୍ୱୀକାର କରିଛନ୍ତି ରିୟା ଚକ୍ରବର୍ତ୍ତୀ। ଏହି ଡ୍ରଗ୍ସ ଲିଙ୍କରେ ଧାରା ୮ (ସି), ୨୦ (ବି), ୨୭ (ଏ), ୨୮ ଏବଂ ୨୯ ଆଧାରରେ ତାଙ୍କ ନାଁରେ ମୋକଦ୍ଦମା ରୁଜ୍ଜୁ ହୋଇଥିବା ବେଳେ ୧୪ ଦିନିଆ ବିଚାର ବିଭାଗୀୟ ହେଫାଜତକୁ କୋର୍ଟ ପଠାଇଛନ୍ତି। ଏବେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରିୟା ଜେଲରେ ହିଁ ରହିବେ।