ଭାରତକୁ ଉଜ୍ଜ୍ୱଳ ଜ୍ଞାନ ସମାଜ ଏବଂ ବୈଶ୍ୱିକ ଜ୍ଞାନର ମହାଶକ୍ତି ଭାବେ ପରିଣତ କରିବା ଆମର ଲକ୍ଷ୍ୟ-ଧର୍ମେନ୍ଦ୍ର ପ୍ରଧାନ

ୱାର୍ଲଡ୍‌ ୟୁନିଭର୍ସିଟି ସମ୍ମିଟରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍‌ବୋଧନ

  • ତିନିଦିନିଆ ୱାର୍ଲଡ୍‌ ୟୁନିଭର୍ସିଟି ଭର୍ଚୁଆଲ ସମ୍ମିଟକୁ ଉଦଘାଟନ କଲେ ମହାମହିମ ଉପରାଷ୍ଟ୍ରପତି
  • ଦେଶ ବିଦେଶର ୧୦୦ରୁ ଅଧିକ ଶିକ୍ଷାନୁଷ୍ଠାନର ୧୫୦ରୁ ଅଧିକ ଥଟ୍‌ ଲିଡରଙ୍କ ଯୋଗଦାନ
  • ନୂଆ ଜାତୀୟ ଶିକ୍ଷା ନୀତି ଦେଶର ଉଚ୍ଚ ଶିକ୍ଷା ବ୍ୟବସ୍ଥା ପାଇଁ ନୂଆ କଳ୍ପନା ଆଣିଛି
  • ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ମୂଳଦୁଆକୁ ମଜବୁତ୍‌ କରିବ ନୂଆ ଶିକ୍ଷା ନୀତି
  • ଗୁଣାତ୍ମକ ଶିକ୍ଷା, ସମାନତା, ଉପଲବ୍ଧି ଏବଂ ସୁଲଭରେ ଶିକ୍ଷା ନୂଆ ଶିକ୍ଷା ନୀତିର ମୂଳସ୍ତମ୍ଭ
  • ବହୁମୁଖୀ ଶିକ୍ଷା ଏବଂ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟକୁ ଲୋକପ୍ରିୟ କରିବା ଲକ୍ଷ୍ୟ
  • ଶିକ୍ଷାକୁ ସାମଗ୍ରିକ, ଅଭିନବ, ବିବିଧ ଭାଷାଭିତିକ ଏବଂ ବହୁ-ଶୃଙ୍ଖଳିତ କରିବା ପାଇଁ ପ୍ରୟାସ
    ନୂଆଦିଲ୍ଲୀ/ଭୁବନେଶ୍ୱର,(ଏସ୍ ନ୍ୟୁଜ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅଣାଯାଇଥିବା ନୂଆ ଜାତୀୟ ଶିକ୍ଷା ନୀତି (ଏନଇପି-୨୦୨୦) ମାଧ୍ୟମରେ ଭାରତକୁ ଏକ ଉଜ୍ଜ୍ୱଳ ଜ୍ଞାନ ସମାଜ ଏବଂ ବୈଶ୍ୱିକ ଜ୍ଞାନ ମହାଶକ୍ତି ଭାବେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ବୁଧବାର ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି ଦ୍ୱାରା ଭର୍ଚ୍ଚୁଆଲ ମୋଡରେ ଆୟୋଜିତ ତିନିଦିନିଆ ୱାର୍ଲଡ୍‌ ୟୁନିଭର୍ସିଟି ସମ୍ମିଟରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
    ମହାମହିମ ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡ଼ୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଥିବା ଏହି ସମ୍ମିଳନୀର ଶୀର୍ଷକ ରହିଛି ‘ଭବିଷ୍ୟତର ବିଶ୍ୱବିଦ୍ୟାଳୟ : ଶିକ୍ଷାନୁଷ୍ଠାନ ଗୁଡ଼ିକର ନିର୍ମାଣରେ ସ୍ଥିରତା, ସାମାଜିକ ଦାୟିତ୍ୱ ଏବଂ ସମାଜର ପ୍ରଭାବ’ । ଏହା ଉପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତୀୟ ଉଚ୍ଚ ଶିକ୍ଷା ବ୍ୟବସ୍ଥାରେ ସ୍ୱାଧୀନତା ପରବର୍ତୀ ସମୟରେ ପରିବର୍ତନ ଅଣାଯାଇଥିଲା । ତେବେ ଜଗତିକରଣ ଏବଂ ଉଦାରିକରଣ ସମୟରେ ଆମର ରହିଥିବା ଲକ୍ଷ୍ୟକୁ ହାସଲ କରିବା ତଥା ଦେଶର ସାମଗ୍ରିକ ବିକାଶ କରିବା ପାଇଁ ଶିକ୍ଷା କ୍ଷେତ୍ରରେ ନୂଆ ସଂସ୍କାର ଅଣାଯିବା ନିହାତି ଜରୁରୀ ହୋଇପଡ଼ିଥିଲା । ଏହି ପରିପ୍ରେକ୍ଷୀରେ ଶିକ୍ଷା କ୍ଷେତ୍ରରେ ପ୍ରଧାନ ମୋଦିଙ୍କ ନେତୃତ୍ୱରେ ନୂଆ ଶିକ୍ଷା ଭିତିଭୂମି ପ୍ରସ୍ତୁତ କରିବା ପାଇଁ ଏନଇପି-୨୦୨୦ ଅଣାଯାଇଛି । ନୂଆ ଶିକ୍ଷା ନୀତିର ୪ଟି ସ୍ତମ୍ଭ ହେଉଛି ଗୁଣାତ୍ମକ, ସମାନତା, ଉପଲବ୍ଧି ଏବଂ ସୁଲଭରେ ଶିକ୍ଷା ପ୍ରଦାନ କରିବା ।
    ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପିତ ଆତ୍ମନିର୍ଭର ଭାରତର ମୂଳଦୁଆକୁ ମଜବୁତ୍‌ କରିବାରେ ନୂଆ ଜାତୀୟ ଶିକ୍ଷା ନୀତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଷ୍ଟଡ଼ି ଇନ୍‌ ଇଣ୍ଡିଆ – ଷ୍ଟଡ଼ି ଇନ୍‌ ଇଣ୍ଡିଆ ଦୂରଦୃଷ୍ଟିରେ ନୂଆ ଶିକ୍ଷା ନୀତି ଦକ୍ଷତା ସହିତ ଶିକ୍ଷାର ଏକୀକରଣକୁ ସହଜ କରିବ ।
    ଏହି ନୀତି ଦେଶର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଶିକ୍ଷାକୁ ଆହୁରି ସାମଗ୍ରିକ, ନମନୀୟ, ବହୁବିଷୟକ କରିବା ସହିତ ଏକବିଂଶ ଶତାବ୍ଦୀର ଆବଶ୍ୟକତାର ଆବଶ୍ୟକତା ପ୍ରତି ଧ୍ୟାନ ଦେବ । ଏହା ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ଅଭିନବ ସାମର୍ଥ୍ୟକୁ ଆହୁରି ବିକଶିତ କରିବ ।
    ଦେଶର ଶିକ୍ଷା କ୍ଷେତ୍ରକୁ ପରିବର୍ତନ କରିବା ଉପରେ ଭାରତ ସରକାରଙ୍କ ପ୍ରତିବଦ୍ଧତା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି । ଭାରତର ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ତିଆରି କରିବା ପାଇଁ ବହୁମୁଖୀ ଶିକ୍ଷା ଏବଂ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ଏମଇଆରୟୁ) କୁ ଲୋକପ୍ରିୟ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଏଥିସହ ଶିକ୍ଷାକୁ ସାମଗ୍ରିକ, ଅଭିନବ, ବିବିଧ ଭାଷାଭିତିକ ଏବଂ ବହୁ-ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ ପ୍ରୟାସ କରାଯାଉଛି । କୋଭିଡ୍‌ ସମୟରେ ଡିଜିଟାଲ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯାଇଛି । ବିଶେଷ ଭାବରେ ଶିକ୍ଷାକୁ ବିଶ୍ୱମାନର କରିବା, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ ଏବଂ ଦେଶ ସମେତ ବିଶ୍ୱର ନାଗରିକଙ୍କ ସାମଗ୍ରିକ ବିକାଶ କରିବା ଉପରେ ଭାରତ ସରକାର ପ୍ରତିବଦ୍ଧ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି । ବର୍ତମାନର ଶିକ୍ଷା, ଭବିଷ୍ୟତର କ୍ଲାସରୁମ ଏବଂ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ପରିବର୍ତିତ ବିଷୟ ଏବଂ ବାସ୍ତବତା, ଭାରତକୁ ଏକ ବିଶ୍ୱମାନର ଅଧ୍ୟୟନ ସ୍ଥଳ ଭାବରେ ପ୍ରୋତ୍ସାହିତ କରିବା, ମାନବ ସମ୍ବଳକୁ ମାନବ ପୁଞ୍ଜିରେ ପରିଣତ କରିବା ଉପରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଛନ୍ତି ।
    ଉଲ୍ଲେଖନୀୟ, ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀରେ ୟୁଜିସି ଅଧ୍ୟକ୍ଷ ଡ଼ି.ପି ସିଂହ, ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିର କୁଳାଧିପତି ନବୀନ ଜିନ୍ଦଲ, ପ୍ରତିଷ୍ଠାତା କୁଳପତି ପ୍ରଫେସର ସି.ରାଜ କୁମାର, ପ୍ରମୁଖ ଯୋଗ ଦେଇ ନିଜର ଅଭିଭାଷଣ ରଖିଥିଲେ । ସେହିପରି ୨୫ରୁ ଉର୍ଦ୍ଧ୍ୱ ଦେଶ ଏବଂ ୬ଟି ମହାଦେଶର ୧୦୦ରୁ ଅଧିକ ଶିକ୍ଷାନୁଷ୍ଠାନର ୧୫୦ରୁ ଅଧିକ ଥଟ୍‌ ଲିଡର ଯୋଗଦେଇଥିଲେ ।