ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ପୁଣିଥରେ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ଶ୍ୱାସକ୍ରିୟାରେ ସମସ୍ୟା ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ପ୍ରଥମେ କୁହାଯାଇଥିଲା। ତେବେ ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ତାଙ୍କର ସମ୍ପୁର୍ଣ୍ଣ ଡାକ୍ତରୀ ପରୀକ୍ଷା କରାଯିବା ଲାଗି ଏମ୍ସରେ ଭର୍ତ୍ତି କରାଯାଇଛି ବୋଲି ପରେ ସଂସ୍ଥାନ ପକ୍ଷରୁ ଜାରି ବିବୃତିରେ ଦର୍ଶାଯାଇଛି। ସେ ଦିନେରୁ ଦୁଇଦିନ ହସ୍ପିଟାଲରେ ରହିବେ।

ମାସକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏମ୍ସରେ ଭର୍ତ୍ତି ହୋଇଛନ୍ତି ୫୫ ବର୍ଷୀୟ ଶାହା। କରୋନାରେ ଆକ୍ରାନ୍ତ ହୋଇ ସେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। କୋଭିଡ଼ରୁ ସୁସ୍ଥ ହେବାପରେ ଘରେ କିଛି ଦିନ ଏକାନ୍ତବାସରେ ରହିବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିବା ସେ ଅଗଷ୍ଟ ୧୪ ତାରିଖରେ ଟ୍ୱିଟ୍ କରିଥିଲେ।
ତେବେ ପୁଣି ଅଗଷ୍ଟ ୧୮ ତାରିଖରେ ଅମିତ୍ ଶାହା ଏମ୍ସରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ପୋଷ୍ଟ କୋଭିଡ଼୍ ଟ୍ରିଟମେଣ୍ଟ ପାଇଁ ହସ୍ପିଟାଲ ଅଣାଯାଇଥିଲା। ସେତେବେଳେ ପ୍ରଶ୍ୱାସ ନେବାରେ ଅସୁବିଧା ଏବଂ ଶରୀରରେ ଯନ୍ତ୍ରଣା ହେବାଯୋଗୁଁ ସେ ହସ୍ପିଟାଲ ଆସିଥିଲେ। ବର୍ତ୍ତାମାନ ଏମ୍ସ ନିର୍ଦ୍ଦେଶକ ଡା ରଣଦୀପ ଗୁଲେରିଆଙ୍କ ନେତୃତ୍ୱାଧୀନ ଟିମ୍ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପରଖୁଛନ୍ତି।