ଭୁବନେଶ୍ୱର: ଆରପାରିରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ସମ୍ପାଦକ ଦେବେନ ମିଶ୍ର। ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ସନ୍ଧ୍ୟା ପ୍ରାୟ ସାଢେ ୬ଟା ସମୟରେ ସେ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ ଏବଂ ପ୍ରାୟ ସାଢେ ୮ଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କର ଅନ୍ତିମ ସଂସ୍କାର ଆଜି ସକାଳେ ସତ୍ୟ ନଗରରେ ପରିବାର ଏବଂ ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି।

ଦେବେନ୍ ମିଶ୍ର ୮୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରର ସମ୍ପାଦନା କରିଥିଲେ। ସେ ଅମୀୟ ପଟ୍ଟନାୟକଙ୍କ ପ୍ରଯୋଜିତ ତଥା ରାଜୁ ମିଶ୍ରଙ୍କ ନିର୍ଦେଶିତ ‘ପୁଅ ମୋର କଳାଠାକୁର’ ଚଳଚ୍ଚିତ୍ରରୁ ସମ୍ପାଦକ ଭାବେ କାମ ଆରମ୍ଭ କରିଥିଲେ। ତାଙ୍କୁ ‘ପରଦେଶୀ ଚଢେଇ’ ଓ ‘କାଶିଆ କପିଳା’ ଚଳଚ୍ଚିତ୍ର ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।
ଦେବେନ୍ ମିଶ୍ରଙ୍କ ଆକସ୍ମିକ ଦେହାନ୍ତରେ ଓଡିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।