କଙ୍ଗନାଙ୍କ ପରେ ଶିବସେନା ଟାର୍ଗେଟରେ ଅକ୍ଷୟ କୁମାର

ମୁମ୍ବାଇ: ଶିବସେନା ନିଜ ମୁଖପତ୍ର ‘ସାମନା’ ଜରିଆରେ ପୁଣିଥରେ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଟାର୍ଗେଟ କରିଛି । ଏଥିସହ ମୁମ୍ବାଇକୁ ଅପମାନିତ କରାଯ଼ିବା ଘଟଣାରେ ଅଭିନେତା ଅକ୍ଷୟ କୁମାର କାହିଁକି ମୁଁହ ଖୋଲିଲେନି ଏନେଇ ତାଙ୍କୁ ଟାର୍ଗେଟ କରିଛି ଶିବସେନା ।


ଦଳର ମୁଖପତ୍ରରେ କଙ୍ଗନା ମୁମ୍ବାଇ ପୁଲିସକୁ ବାବର ସହିତ ତୁଳନା କରିବା ଏବଂ ମୁମ୍ବାଇକୁ ପାକିସ୍ତାନ ଅଧିକୃତ କାଶ୍ମୀର କହିବା କଥା ଉଲ୍ଲେଖ କରାଯ଼ାଇଛି । ମୁମ୍ବାଇକୁ କଙ୍ଗନା ଅପମାନିତ କରିଥିଲେ ମଧ୍ୟ ପୂରା ବଲିଉଡର ଏନେଇ କାହିଁକି ନୀରବ ବୋଲି ଶିବସେନା ପ୍ରଶ୍ନ କରିଛି । କଙ୍ଗନାଙ୍କ ମତ ସମଗ୍ର ବଲିଉଡର ମତ ନୁହେଁ ବୋଲି ଏଯାବତ୍ ବଲିଉଡର କୌଣସି କଳାକାର ସ୍ପଷ୍ଟ କରିନାହାନ୍ତି। ଏହାକୁ ନେଇ ବିଶେଷ କରି ଅଭିନେତା ଅକ୍ଷୟ କୁମାରଙ୍କୁ ଟାର୍ଗେଟ କରିଛି ଶିବସେନା ।

ଏଥିରେ ଲେଖାଯାଇଛି ଯେ, ଟମୁମ୍ବାଇ ଅକ୍ଷୟ କୁମାରଙ୍କୁ ବହୁତ କିଛି ଦେଇଛି। ଏହି ସ୍ୱପ୍ନର ସହରରେ ସେ ଅନେକ ସଫଳତା ପାଇଛନ୍ତି, ତଥାପି ସେ କଙ୍ଗନାଙ୍କୁ ବିରୋଧ କରି ନାହାଁନ୍ତି। ଯେଉଁ ସହର ତାଙ୍କୁ ସଫଳତା ଦେଇଛି, ସେହି ସହର ଅପମାନିତ ହେଉଥିବା ବେଳେ ସେମାନେ ଏହାକୁ କାହିଁକି ବିରୋଧ କରିନଥିଲେ। ସମସ୍ତେ ନହେଲେ ବି ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅତିକମରେ ଅଧା କଳାକାର ମୁମ୍ବାଇର ଅପମାନକୁ ବିରୋଧ କରିବାକୁ ଆଗେଇ ଆସିବା ଉଚିତ୍। କଙ୍ଗନାଙ୍କ ମତ ସମଗ୍ର ଚଳଚ୍ଚିତ୍ର ଜଗତର ମତ ନୁହେଁ, ଏହା କହିବା ଉଚିତ୍। ଅନ୍ତତଃପ‌କ୍ଷେ ଅକ୍ଷୟ କୁମାରଙ୍କ ଭଳି ଆଗଧାଡିର ଅଭିନେତାମାନେ ଏହାକୁ ବିରୋଧ କରିବାର ଥିଲା’ ।

ଏପରିକି ଶିବସେନା କଙ୍ଗନାଙ୍କ ପାଇଁ ପୁରା ବଲିଉଡ ଉପରକୁ ଆଙ୍ଗୁଳି ଉଠାଇ କହିଛନ୍ତି ଯେ , ମୁମ୍ବାଇକୁ ଯେତେବେଳେ କେହି ଅପମାନ କରେ ଆଉ ଏହାର ବଳତ୍କାର କରେ ସେତେବେଳେ କେହି ସ୍ୱର ଉଠାଉ ନାହାନ୍ତି । ମୁଣ୍ଡ ତଳକୁ କରି ଚୁପ ରହୁଛନ୍ତି । ଏଠାରେ ଦେଶର ବହୁ ବଡ ବଡ କଳକାର ଘର କରିଛନ୍ତି ଏବଂ ଏନେଇ ସମସ୍ତେ ସ୍ୱର ଉଠାଇବା ଦରକାର ବୋଲି ଶିବସେନା କହିଛି ।