ନୂଆଦିଲ୍ଲୀ: କାଲିଠୁ ଅର୍ଥାତ୍ ସୋମବାର ଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ସେପ୍ଟେମ୍ବର ୧୪ ତାରିଖରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଏଥିରେ ମୋଟ ୧୮ଟି କାର୍ଯ୍ୟ ଦିବସ ରହିବାକୁ ଥିବାବେଳେ ଚଳିତ ଥର ଶନିବାର ଓ ରବିବାର ଛୁଟି ରହିବ ନାହିଁ ।
ଲୋକସଭା ପ୍ରଥମ ଦିନରେ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ । ବାକି ଦିନ ଗୁଡିକରେ ଅପରାହ୍ନ ୩ ଟାରୁ ୭ ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ରାଜ୍ୟସଭା ପ୍ରଥମ ଦିନରେ ୩ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଚାଲିବ। ବାକି ଦିନ ଗୁଡିକରେ ୯ଟାରୁ ଅପରାହ୍ନ ୧ ପର୍ଯ୍ୟନ୍ତ ଚାଲିବ ଚାଲିବ ବୋଲି ଜଣାପଡ଼ିଛି ।
ଅନ୍ୟପଟେ ନିଯମ ଦୃଷ୍ଟିରୁ ସଂସଦ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସର୍ବଦଳୀୟ ବୈଠକ ବସିଥାଏ। ଯେଉଁଥିରେ ଅଧିବେଶନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ଆଲୋଚନ ହୋଇଥାଏ। ହେଲେ ଚଳିତ ଥର କରୋନା କାରଣରୁ ସର୍ବଦଳୀୟ ବୈଠକ ବସିବ ନାହିଁ।
ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ କରୋନା ଯୋଗୁଁ ପ୍ରଶ୍ନକାଳ ରହିବ ନାହିଁ । ବେସରକାରୀ ସଦସ୍ୟ (ସାଂସଦ) ବିଲ୍ ଉପସ୍ଥାପନ କରିପାରିବେ ନାହିଁ। ନିକଟରେ ରାଜ୍ୟସଭା ସଚିବାଳୟ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ସେପଟେ ବିରୋଧୀ ସାଂସଦମାନେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି।
କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ମନ୍ତ୍ରୀ କହିଛନ୍ତି, ‘ଆମ ସରକାର କୌଣସି ବିତର୍କ କିମ୍ବା ଆଲୋଚନାରୁ ଦୂରେଇ ନାହାଁନ୍ତି, କିନ୍ତୁ ଚୀନ୍-ଭାରତ ମଧ୍ୟରେ ଉପୁଜି ଥିବା ସୀମା ବିବାଦ ଦେଶର ସମ୍ବେଦନଶୀଳ ପ୍ରସଙ୍ଗ ଅଟେ । ତେଣୁ ଜାତୀୟ ସୁରକ୍ଷା ଓ ଅଖଣ୍ଡତା ସହ ଜଡିତ ରଣନୀତିକ ପ୍ରସଙ୍ଗରେ ଖୋଲାଖୋଲି ଭାବେ ଆଲୋଚନା କରାଯାଇପାରିବ ନାହିଁ’।
ଚଳିତ ବର୍ଷ ପ୍ରଥମ ଦିନରେ ଗୃହ ସରଗରମ ରହିବ ବୋଲି ଆଶା କରାଯାଉଛି। କାରଣ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ପାଖରେ ରହିଛି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ଗୋଟିଏ ପଟେ ସରକାର ଏହି ଅଧିବେଶନରେ ୧୧ଟି ଅଧ୍ୟାଦେଶକୁ ପ୍ରାଥମିକତା ଦେଇ ପାରିତ କରିବାକୁ ଚାହୁଁଥିବା ବେଳେ ଅନ୍ୟପଟେ ବିରୋଧୀ ମହାମାରୀ କରୋନା ଭାଇରସ୍, ଦେଶର ଜିଡିପି ହ୍ରାସ ଓ ପୂର୍ବ ଲଦାଖରେ ଚୀନ ସହିତ ଭାରତର ସୀମା ବିବାଦ ଆଦି ପ୍ରସଙ୍ଗକୁ ଗୃହରେ ଉଠାଇ ସରକାରଙ୍କୁ ଟାର୍ଗେଟ୍ କରିବେ ବୋଲି କୁହାଯାଉଛି । ସୂଚାନଯୋଗ୍ୟ, ୧୮ ଦିନିଆ ଏହି ଅଧିବେଶନରେ ସରକାର ବିଲ ଆକାରରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରେ ହେଉଥିବା ହିଂସାକୁ ରୋକିବା ପାଇଁ ପଦକ୍ଷେପ ସହ ଜଡିତ ନିୟମ ପାସ କରିପାରନ୍ତି ।