କଙ୍ଗନାଙ୍କ ସମର୍ଥନରେ ଶାଢ଼ୀ ଲଞ୍ଚ୍

ସୁରଟ: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ସମର୍ଥନରେ ଲଞ୍ଚ ହୋଇଛି ନୂଆ ଶାଢୀ। ଯେଉଁଥିରେ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଛି ‘I Support Kangana Ranaut’। ଗୁଜୁରାଟ ସୁରଟର ଶାଢ଼ୀ ବ୍ୟବସାୟୀ ଏହି ଭିନ୍ନ ଶୈଳୀର ଶାଢ଼ୀକୁ ଡିଜାଇନ୍ କରି ବିକ୍ରି ଆରମ୍ଭ କରିଛନ୍ତି।

ଶାଢ଼ୀରେ ‘ମଣିକର୍ଣ୍ଣିକା’ ଫିଲ୍ମରେ କଙ୍ଗନାଙ୍କ ଝାନ୍ସି ରାଣୀ ଲକ୍ଷ୍ମୀବାଇ ଚରିତ୍ରର ଭିନ୍ନ ଭିନ୍ନ ଫଟୋ ସ୍ଥାନ ପାଇଛି। ଅନ୍ୟାୟ ବିରୋଧରେ କଙ୍ଗନାଙ୍କ ଲଢ଼େଇକୁ ସମର୍ଥନ ଜଣାଇ ଏହି ଶାଢ଼ୀ ଡିଜାଇନ୍ ହୋଇଛି ବୋଲି ନିର୍ମାତା କହିଛନ୍ତି। ଏହାସହ ଅନଲାଇନରେ ଏସବୁ ଶାଢ଼ୀ ପାଇଁ ଜବରଦସ୍ତ ଅର୍ଡର ସବୁ ଆସିବ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ବ୍ୟବସାୟୀ ଜଣକ। ବରିଷ୍ଠ ଟିଭି ସାମ୍ବାଦିକ ଜନକ ଦାୱେ ନିଜ ଟ୍ୱିଟର ଏକାଉଣ୍ଟରେ ଏସବୁ ଶାଢ଼ୀର ଫଟୋ ସେୟାର କରିଛନ୍ତି।

ସୂଚନାଯୋଗ୍ୟ, ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନେପୋଟିଜମ୍ କଥା ଉଠାଇବା, ପରେ ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ଗୁମର ଖୋଲିବା, ମାମଲାର ତଦନ୍ତ ନେଇ ମୁମ୍ବାଇ ପୋଲିସକୁ ସମାଲୋଚନା କରିବା, ଶିବସେନାର ଧମକ ଯୋଗୁଁ ମୁମ୍ବାଇକୁ ପିଓକେ ସହ ତୁଳନା କରିବା ଏବଂ ବିଏମସି ମଣିକର୍ଣ୍ଣିକା କାର୍ଯ୍ୟାଳୟ ଭାଙ୍ଗିବାରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସିଧା ସଳଖ ଚେତାବନୀ ଦେବା… ଏଭଳି ଗୋଟିଏ ପଟେ ଗୋଟିଏ ଘଟଣାବଳୀକୁ ନେଇ ଚର୍ଚ୍ଚାରେ କଙ୍ଗନା ରାଣାୱତ୍। ଇତିମଧ୍ୟରେ ଦେଶବ୍ୟାପୀ ତାଙ୍କୁ ବିଭିନ୍ନ ଆଡ଼ୁ ସମର୍ଥନ ମିଳିବାରେ ଲାଗିଛି।