ଅବସରପ୍ରାପ୍ତ ଲୋକ ସମ୍ପର୍କ ଓ ସୂଚନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ବରଗଡ,(ଏସ୍ ନ୍ୟୁଜ୍): ଆଜି ପଦ୍ମପୁର ସ୍ବାଧୀନତା ଦିବସ ପାଳନ ଅବସରରେ,ପଦ୍ମପୁର ଉପଖଣ୍ଡ ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଛି । ୨୦୧୦ ରେ ଶ୍ରୀ ପାଣିଗ୍ରାହୀ ପଦ୍ମପୁର ଉପଖଣ୍ଡ ର ଲୋକ ସମ୍ପର୍କ ଦାୟିତ୍ବ ଗ୍ରହଣ କରିଥିଲେ । ପ୍ରାୟ ଏକ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟରେ ପଦ୍ମପୁର ଚାକିରୀ କାଳରେ ସରକାରୀ କାର୍ଯ୍ୟକ୍ରମ ସହିତ ସହର ର ବିଭିନ୍ନ ସାମାଜିକ,ସାଂସ୍କୃତିକ ତଥା ସାହିତ୍ୟି ସଂଗଠନ ସହିତ ଯୋଡି ହୋଇ ଯାଇଥିଲେ । ଏଥି ସହିତ ସେ ଉପଖଣ୍ଡ ସ୍ବଳ୍ପ ସଂଚୟ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇ ଆସି ଥିଲେ । ତାଙ୍କରି ପ୍ରୟାସରେ ସାଧାରଣ ତନ୍ତ୍ର ଦିବସ ଓ ସ୍ବାଧୀନତା ଦିବସ ସହରରେ ଦୁଇଟି ମୁଖ୍ଯ ଉତ୍ସବ ର ରୂପ ଧାରଣ କରିଥିଲା । ନିଜସ୍ବ ଦକ୍ଷତା ତଥା ଅମାୟିକ ସ୍ବଭାବ ଯୋଗୁଁ ସେ ସର୍ବତ୍ର ପରିଚିତ ଥିଲେ ।

ଆଜି ସ୍ବାଧୀନତା ଦିବସ ପାଳନ କରା ଯାଉଥିବା ମଞ୍ଚରେ,କୋଭିଡ କଟକଣା କୁ ଭିତରେ ଶ୍ରୀ ପାଣିଗ୍ରାହୀଙ୍କୁ,ପଦ୍ମପୁର ର ଉପ ଜିଲ୍ଲାପାଳ ଶ୍ରୀ ତ୍ରିଲୋଚନ ପାତ୍ର ଏକ ନିରାଡ଼ମ୍ବର ତଥା ସୀମିତ ଉପସ୍ଥିତି ଭିତରେ ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ଯକ୍ରମ କୁ ଅଶୋକ ବହିଦାର ସଂଯୋଜନା କରିଥିବା ବେଳେ ସୌମ୍ଯର୍କ ପଟ୍ଟନାୟକ,ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ । ପରିଶେଷ ରେ ସହକାରୀ ଉପ ଜିଲ୍ଲାପାଳ ସୁଶ୍ରୀ ଦୀପ୍ତିମୟୀ ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବରେ କାର ଆସୋସିଏସନର ସଭାପତି ଗୌନ୍ତିଆ ସାହୁ,ସମାଜସେବୀ ନିରୋଜ ଦୋରା,ହୁଦୟାନନ୍ଦ ଦାନୀ,ସୁରେନ୍ଦ୍ର ସାହୁ,ରମେଶ ଗୁର୍ଲାଙ୍କ ସମେତ ଅନେକ ସରକାରୀ ପଦାଧିକାରୀ,ପୋଲିସ କର୍ମଚାରୀ,ଗଣ ମାଧ୍ୟମ ପ୍ରତିନିଧି ତଥା ମାନ୍ଯଗଣ୍ଯ ବ୍ଯକ୍ତିଗଣ ଉପସ୍ଥିତ ଥିଲେ ।