ଏଲଏସିରେ ପୂର୍ବ ଭଳି ପାଟ୍ରୋଲିଂ ଚାଲିବ: ରାଜନାଥ

ନୂଆଦିଲ୍ଲୀ: ଲୋକସଭା ପରେ ଆଜି ରାଜ୍ୟସଭା ଅଧିବେଶନରେ ଚୀନ୍ ପ୍ରସଙ୍ଗ ଉପରେ ମୁଁହ ଖୋଲିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଦେଶର ସୁରକ୍ଷା ପାଇଁ ସରକାର ସବୁ ବଡ଼ ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହି ସେ ପରୋକ୍ଷରେ ଆବଶ୍ୟକ ପଡ଼ିଲେ ଯୁଦ୍ଧ ହେବ ବୋଲି ସ୍ପଷ୍ଟ ସଂକେତ ଦେଇଛନ୍ତି। ଅନ୍ୟପଟେ ମୁହାଁମୁହିଁ ସ୍ଥିତି ଭିତରେ ବି ଭାରତୀୟ ସୈନ୍ୟ ଏଲଏସିରେ ପାଟ୍ରୋଲିଂ ଜାରି ରଖିବେ ବୋଲି କହିଛନ୍ତି ରାଜନାଥ।

military patrolling - Pangong Lake - taken during leh, ladakh trip | Trip,  Lake, Boat

ଲଦାଖ ଘଟଣାରେ ଭାରତୀୟ ସେନା ସଂଯମ ଏବଂ ଶୌର୍ଯ୍ୟ ଉଭୟର ପ୍ରଦର୍ଶନ କରିଛନ୍ତି ବୋଲି କହିଛନ୍ତି ରାଜନାଥ। କର୍ଣ୍ଣେଲ ସନ୍ତୋଷ ବାବୁ ଏବଂ ଶହୀଦ ଅନ୍ୟ ୧୯ ଯବାନଙ୍କ ବଳିଦାନକୁ ସେ ମନେ ପକାଇଛନ୍ତି। ଲଦାଖର ୩୮ ହଜାର ବର୍ଗ କିମି ଅଞ୍ଚଳକୁ ବେଆଇନ ଭାବେ ଦଖଲ କରିଥିବା ଚୀନ୍ ଆଦୌ କୌଣସୀ ସୀମା ଚୁକ୍ତିକୁ ମାନୁନାହିଁ। ବାରମ୍ବାର ସେମାନେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରୁଛନ୍ତି। ଭାରତର ଅଖଣ୍ଡତା ପ୍ରତି ଆଞ୍ଚ ଆସିଲେ କଡ଼ା ଜବାବ ଦିଆଯିବ ବୋଲି ରୋକଠୋକ କହିଛନ୍ତି।

ଚୀନ ସେନା ଗତ କିଛି ବର୍ଷ ଧରି ଏଲଏସି ଏବଂ ଆଖପାଖ ଅଞ୍ଚଳରେ ନିଜର ସୈନ୍ୟବଳ ବଢାଇବାରେ ଲାଗିଛି। ଭାରତ ମଧ୍ୟ ନିଜ ସୀମାର ସୁରକ୍ଷା ପାଇଁ ଅଧିକ ସେନା ମୁତୟନ କରିଛି। ଦେଶର ଯବାନଙ୍କ ସହ ୧୩୦ କୋଟି ଲୋକ ଅଛନ୍ତି। ସୀମାର ସୁରକ୍ଷା ପାଇଁ ଆମେ ଗମନାଗମନର ସୁବିଧା କରିଛୁ। ସମସ୍ତ ପ୍ରକାର ଉପକରଣ ସେନାକୁ ଯୋଗାଇ ଦିଆଯାଇଛି। ଶୀତ ଦିନକୁ ଦୃଷ୍ଟିରେ ରଖି ଟେଣ୍ଟ୍, ଶୀତବସ୍ତ୍ର, ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ହୋଇସାରିଛି। ଦେଶ ପାଇଁ ଆମେ କୌଣସି ବଡ଼ ପଦକ୍ଷେପ ନେବାକୁ ପଛାଇବୁନି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ।

Pangong Lake, Ladakh, India China: Lt Gen Ranbir Singh Visits Ladakh Days  After India-China Standoff

ଆଜି ରାଜ୍ୟସଭାରେ ବିରୋଧୀ ସଦସ୍ୟ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନୀ ପାଟ୍ରୋଲିଂ କଥା ଉଠାଇଥିଲେ। ଆଗରୁ ଭାରତୀୟ ସୈନ୍ୟ ପାଙ୍ଗୋଙ୍ଗ ସୋ ହ୍ରଦ ଠାରେ ଫିଙ୍ଗର ୮ ପର୍ଯ୍ୟନ୍ତ ପାଟ୍ରୋଲିଂ କରୁଥିଲେ। ଏବେକାର ସ୍ଥିତି କଣ ରହିଛି ବୋଲି ସେ ଜାଣିବାକୁ ଚାହିଁଥିଲେ। ଜବାବରେ ଭାରତ ନିଜର କ୍ଷେତ୍ରରେ ପୂର୍ବଭଳି ପାଟ୍ରୋଲିଂ ଜାରି ରଖିବ ଏବଂ ବିଶ୍ୱର କୌଣସି ଶକ୍ତି ଏଥିରେ ବାଧା ଦେଇ ପାରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସ୍ପର୍ଶକାତର ପ୍ରସଙ୍ଗ ହୋଇଥିବାରୁ ଏହା ଉପରେ ଅଧିକ ତଥ୍ୟ ରଖି ହେବନାହିଁ ବୋଲି ସେ ଗୃହକୁ ଜଣାଇଥିଲେ।

ଅନ୍ୟପଟେ ଚୀନ୍ ସହ କଥାବାର୍ତ୍ତା ପ୍ରସଙ୍ଗରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ଏଥିରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ, ପ୍ରହ୍ଲାଦ ଯୋଶୀ, ଥାୱରଚାନ୍ଦ ଗେହଲଟ୍, ବିରୋଧୀ ସଦସ୍ୟ ଆନନ୍ଦ ଶର୍ମା, ଗୁଲାମ ନବୀ ଆଜାଦ, ଡେରେକ ଓବ୍ରିଏନ୍, କେ କେଶବ ରାଓ, ତିରୁଚି ଶିବା ପ୍ରମୁଖ ଅଂଶଗ୍ରହଣ କରିଥିଲେ।