କଟକ,(ଏସ୍ ନ୍ୟୁଜ): କଟକ ବଡ ମେଡିକାଲରେ ଆରମ୍ଭ ହେଲା ବ୍ୟୟବହୁଳ ଇକମୋ ଚିକିତ୍ସା । ଏସସିବି ମେଡିକାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇକମୋ ଚିକିତ୍ସା ସେବାର ଲୋକାର୍ପଣ କରିଛନ୍ତି । ପୂର୍ବ ଭାରତରେ ସରକାରୀ ଭାବେ ଇକମୋ ଚିକିତ୍ସା ଯୋଗାଉଥିବା ଏହା ସବୁଠାରୁ ବଡ ୟୁନିଟ୍ । କଟକ ବଡ ମେଡିକାଲରେ ସବୁଦାୟ ୯ଟି ଇକମୋ ମେସିନ ସ୍ଥାପନ କରାଯାଇଛି। ଯାହା ରାଜ୍ୟର ରୋଗୀମାନଙ୍କୁ ମାଗଣାରେ ଏହି ବ୍ୟୟବହୁଳ ଇକମୋ ଚିକିତ୍ସା ଯୋଗାଇବ।
![](https://shaksinews.com/wp-content/uploads/2021/08/15-1-1024x465.jpg)
ଇକମୋ ଚିକିତ୍ସା ସେବାର ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗୁରୁତର କୋଭିଡ ରୋଗୀଙ୍କୁ ଆଉ ବାହାରକୁ ଯିବାକୁ ପଡିବ ନାହିଁ । ଓଡ଼ିଶାରେ ହିଁ ଚିକିତ୍ସିତ ହେବେ ରୋଗୀ। ଏହି ଚିକିତ୍ସା ବେଶ ଅର୍ଥ ଆବଶ୍ୟକ କିନ୍ତୁ ରାଜ୍ୟ ସରକାର ମାଗଣାରେ ଏହି ସେବା ଯୋଗାଇଦେବେ । ଏହି ଚିକିତ୍ସାରେ ଯାହା ବି ଖର୍ଚ୍ଚ ହେବ ଲୋକଙ୍କ ଉପରେ ପଡିବ ନାହିଁ । ସବୁ ଖର୍ଚ୍ଚ ସରକାର ବହନ କରିବେ । ଏଥି ସହିତ ମୁଖ୍ୟମନ୍ତ୍ରୀ କରୋନାର ତୃତୀୟ ଲହରର ନେଇ ଓଡିଶାବାସୀଙ୍କ ସତର୍କ କରାଇଛନ୍ତି। ଶିଶୁ ମାନେ ଅଧିକ ମାତ୍ରାରେ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞ କହୁଛନ୍ତି । ତେଣୁ ପିଲାଙ୍କ ସୁରକ୍ଷା ପାଇଁ କୋଭିଡ ଗାଇଡଲାଇନ ମାନିବା ସହ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି । ନିଜେ ସୁରକ୍ଷିତ ରହିବା ସହ ପିଲାଙ୍କୁ ସୁରକ୍ଷିତ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ କରୋନା ଯୋଗୁଁ ଯେଉଁମାନଙ୍କର ଲଙ୍ଗସ ଇନଫେକସନ ହେଉଥିଲା ଓ ଗୁରୁତର ହେଉଥିଲେ ସେମାନଙ୍କ ପାଇଁ ଇକମୋ ଚିକିତ୍ସାର ଆବଶ୍ୟକତା ପଡୁଥିଲା । ଦ୍ୱିତୀୟ ଲହର ସମୟରେ ଏହି ମେସିନର ବେଶୀ ଆବଶ୍ୟକତା ସାମନାକୁ ଆସିଥିଲା । ରାଜ୍ୟର ଏହି ଚିକିତ୍ସାର ସୁବିଧା ନଥିବାରୁ ଅନେକ ରୋଗୀ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚେନ୍ନାଇ, କୋଲାକାତା ଭଳି ସହରକୁ ଯାଇ ଚିକିତ୍ସିତ ହୋଇଥିଲେ । ଅତ୍ୟନ୍ତ ଆବଶ୍ୟକତା ଦୃଷ୍ଟିରୁ ସେତେବେଳେ ଏସସିବିରେ ଇକମୋ ୟୁନିଟ୍ ସ୍ଥାପନ ପାଇଁ ନିଷ୍ପତି ନେଇଥିଲେ ସରକାର । ଆଉ ଘୋଷଣାର ୩ ମାସ ମଧ୍ୟରେ କଟକ ବଡ ମେଡିକାଲରେ ଇକମୋ ଚିକିତ୍ସା ସେବା କାର୍ଯ୍ୟକ୍ଷମ ହୋଇଛି । କଟକ ବଡ଼ ଡାକ୍ତରଖାନାରେ ୯ଟି ଇକମୋ ମେସିନ ସ୍ଥାପନ କରାଯାଇଛି। ସେଥିରୁ ୬ଟି ମେସିନ୍ କରୋନାରୁ ସୁସ୍ଥ ହେବା ପରେ ଗୁରୁତର ରୋଗୀଙ୍କ ପାଇଁ ଓ ଅନ୍ୟ ୩ଟି ସଂକ୍ରମିତଙ୍କ ପାଇଁ ବ୍ୟବହାର କରାଯିବ । ଦୁଇଟି ପର୍ଯ୍ୟାୟରେ ୧୯ଜଣ ଡାକ୍ତର ଓ କର୍ମଚାରୀଙ୍କୁ ଏଥିପାଇଁ ଦିଆଯାଇଛି ତାଲିମ