ନୂଆଦିଲ୍ଲୀ: ଏଥର ଦୀପାବଳୀରେ ଚୀନର ପ୍ରାୟ ୫୦ ହଜାର କୋଟି ଟଙ୍କା କ୍ଷତି ହେବ ବୋଲି ସିଏଆଇଟି ଆକଳନ କରିିଛି । ଏବର୍ଷ ଚୀନ ନିର୍ମିତ ବାଣ ଏବଂ ଅନ୍ୟାନ୍ୟ ଶସ୍ତା ସାମଗ୍ରୀ ବର୍ଜନ କରିଥିବାରୁ ଭାରତୀୟ ଉତ୍ପାଦଗୁଡିକର ବିକ୍ରୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । କେବଳ ଦୀପାବଳି ବ୍ୟବସାୟରେ ଭାରତୀୟ ଅର୍ଥନୀତି ୨ ଲକ୍ଷ କୋଟି ଟଙ୍କା ଆୟ ହେବ । ଗତବର୍ଷ ଭଳି ଏବର୍ଷ ସିଏଆଇଟି ଚୀନା ସାମଗ୍ରୀ ବର୍ଜନ ପାଇଁ ଡାକରା ଦେଇଛି । ଫଳରେ ଚୀନର ପାଖାପାଖି ୫୦ ହଜାର କୋଟି ଟଙ୍କା ବ୍ୟାବସାୟିକ କ୍ଷତି ହେବ ବୋଲି କହିଛନ୍ତି । ଭାରତୀୟମାନେ ଏବେ ଚୀନ୍ ସାମଗ୍ରୀ ପ୍ରତି ଆଗ୍ରହ ଦେଖାଉ ନାହାନ୍ତି । ଫଳରେ ଭାରତୀୟ ସାମଗ୍ରୀଗୁଡିକର ଚାହିଦା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସିଏଆଇଟିର ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ, ଡିଷ୍ଟ୍ରିବ୍ୟୁସନ୍ ସିଟିରେ ହୋଇଥିବା ସର୍ଭେରୁ ଜଣାପଡିଛି ଦୀପାବଳି ସାମଗ୍ରୀ, ବାଣ ଏବଂ ଅନ୍ୟାନ୍ୟ ସାମଗ୍ରୀ ପାଇଁ କୌଣସି ଭାରତୀୟ ବ୍ୟବସାୟୀ ଚୀନା ସାମଗ୍ରୀ ଆମଦାନିକାରିଙ୍କୁ କିଛି ବରାଦ ଦେଇ ନାହାନ୍ତି । ସୂଚନାଯୋଗ୍ୟ, ରାଖି ଠାରୁ ଆରମ୍ଭ କରି ଉତ୍ସବାନୁଷ୍ଠାନ ନିମନ୍ତେ ଭାରତୀୟ ବ୍ୟବସାୟୀମାନେ ପ୍ରାୟ ୭୦ ହଜାର କୋଟି ଟଙ୍କାର ଚୀନା ସାମଗ୍ରୀ ଆମଦାନି କରନ୍ତି ।