ତେଲ ଟ୍ୟାଙ୍କର ବିସ୍ଫୋରଣ ଘଟି ୯୧ ଜୀବନ୍ତଦଗ୍ଧ

ଫ୍ରିଟାଉନ: ଦେଶର ରାଜଧାନୀ ଫ୍ରିଟାଉନରେ ତେଲ ଟ୍ୟାଙ୍କର ବିସ୍ଫୋରଣ ଘଟି ୯୧ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ନ୍ୟୁଜ ଏଜେନ୍ସି ଏଏଫପି ପକ୍ଷରୁ ସୂଚନା ମିଳିଛି । ଫ୍ରିଟାଉନର ଜଣେ କେନ୍ଦ୍ରୀୟ ଅଧିକାରୀଙ୍କ ଅନୁସାରେ ୯୧ ମୃତଦେହ ଉଦ୍ଧାର ହୋଇଛି । ତେଲ ଟ୍ୟାଙ୍କର ଅନ୍ୟ ଏକ ଗାଡ଼ି ସହ ଧକ୍କା ହୋଇଯିବା ପରେ ବିସ୍ଫୋରଣ ହୋଇଥିଲା । ସୂଚନାଯୋଗ୍ୟ ଯେ, ତେଲ ଟାଙ୍କର ଫାଟିବା ପରେ ଲୋକେ ତେଲ ସଂଗ୍ରହ କରିବାକୁ ସେଠାରେ ପହଞ୍ଚିଥିବା ବେଳେ ହିଁ ପୁଣି ଥରେ ବିସ୍ଫୋରଣ ହୋଇଥିଲା ବୋଲି ପୋର୍ଟ ସିଟିର ମେୟର କହିଛନ୍ତି । ଜଳିଯାଇଥିବା ଶବ ଏବେ ଉଦ୍ଧାର ହେଉଥିବା ବେଳେ ସେଠାକାର ସ୍ଥିତି ଭୟାବହ ହୋଇପଡ଼ିଛି । ଏନେଇ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଲୋକେ ସମ୍ପୂର୍ଣ୍ଣ ଜଳିଯାଇଥିବା ଦେଖିବାକୁ ମିଳିବା ସହ ପାଖରେ ଥିବା ଘର, ଦୋକାନ ଆଦି ଜଳିଯାଇଥିବା ମଧ୍ୟ ସୂଚନା ମିଳିଛି ।