ଭୋପାଳ : ସୋସିଆଲ ମିଡିଆରେ ଦୁଷ୍କର୍ମ ବେଳର ଫଟୋ ଭାଇରାଲ ହେବା ପରେ ଆତ୍ମହତ୍ୟା କରିଛନ୍ତି ଜଣେ ଦୁଷ୍କର୍ମ ପୀଡିତା । ଏ ନେଇ ମୃତକଙ୍କ ଭାଇ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ଅନୁସାରେ, ମଧ୍ୟପ୍ରଦେଶ ମୋରେନା ଜିଲ୍ଲା କଞ୍ଚପୁରା ଗାଁର ଜଣେ ବିବାହିତ ମହିଳା ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଅଭିଯୁକ୍ତଜଣକ ସୋସିଆଲ ମିଡିଆରେ ଦୁଷ୍କର୍ମ ବେଳର ଫଟୋ ଭାଇରାଲ କରିଦେଇଥିବା ନେଇ ତାଙ୍କ ସ୍ୱାମୀଙ୍କୁ ଜଣାଇଥିଲେ । ଏହା ପରେ ଲୋକ ଲଜ୍ଜାରେ ସେ ବିଷ ପିଇ ଦେଇଥିଲେ । ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସୂଚନା ଅନୁସାରେ ଗାଁର ଜଣେ ବ୍ୟକ୍ତି ତାଙ୍କ ସ୍ୱାମୀଙ୍କୁ ଫୋନ କରି କହିଥିଲେ ଯେ, ତାଙ୍କ ପତ୍ନୀଙ୍କ ଦୁଷ୍କର୍ମ ବେଳର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାପରେ ଯୁବକଜଣକ ତାଙ୍କ ପତ୍ନୀଙ୍କୁ ଏ ବାବଦରେ ପଚାରିଥିଲେ । ସେ ଯାହା କହିଥିଲେ, ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ସେ କହିଥିଲେ, ବିବାହ ପୂର୍ବରୁ ଭୋଳା ନାମକ ତାଙ୍କର ଜଣେ ପଡୋଶୀ ଦୁଷ୍କର୍ମ କରିଥିଲା ଏବଂ କାହାକୁ କିଛି କହିଲେ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇଥିଲା । ବାଧ୍ୟ ହୋଇ କାହାକୁ କିଛି କହିନଥିଲି । ଲୋକ ଲଜ୍ଜା ଭୟରେ ଚୁପ ରହିଥିଲି । କିଛିଦିନ ତଳେ ଅଭିଯୁକ୍ତ ଯୁବକ ଏବଂ ତାର କିଛି ସାଙ୍ଗ ଯୁବତୀଙ୍କ ଶାଶୁ ଘରେ ପହଞ୍ଚି ଭିଡିଓ ଦେଖାଇବା ସହ ପୁଣି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା ସହ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇଥିଲେ । ତେବେ ସେ ଏହାକୁ ମାନିନଥିଲେ । ଅଭିଯୁକ୍ତମାନେ ସେଠାରୁ ଚାଲିଯାଇ ଆପତ୍ତିଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଥିଲା । ଏହା ଜାଣିବା ପରେ ଯୁବତୀଜଣକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଏନେଇ ପାଲିସ ନିଜେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ବର୍ତ୍ତମାନ ଫେରାର ଥିବା ଜଣାପଡିଛି ।