ମହାତ୍ମା ଅବଧୂତ (ଦତ୍ତାତ୍ରେୟ ) କହୁଛନ୍ତି ହେ ରାଜନ୍ , ହରିଣ ହେଉଛନ୍ତି ମୋର ପଞ୍ଚଦଶ ଗୁରୁ ମୁଁ ତାଙ୍କ ଠାରୁ ଶ୍ରବଣ ଇନ୍ଦ୍ରିୟର ଲାଳସା ତ୍ୟାଗ କରି ଜୀବନ ନିର୍ବାହ କରିବାର ଶିକ୍ଷା ପାଇଛି ।
ବ୍ୟାଧର ବଂଶୀ ସଙ୍ଗୀତ ଶବ୍ଦରେ ଆକର୍ଷିତ ହୋଇ ହରିଣ ଆତ୍ମହରା ହୋଇ ମୃତ୍ୟୁ ମୁଖରେ ପତିତ ହେଉଥିବା ଦୃଶ୍ୟ ଦେଖିଛି । ଏଣୁ ସଂସାରର ଗ୍ରାମ୍ୟ ସଙ୍ଗୀତରେ ମନ ନଦେଇ ,ସତ ଜ୍ଞାନରେ ମନ ନିବେଶ କରିବା ଉଚିତ। ଯେଉଁ ଗୀତ, ଛନ୍ଦ, ସ୍ୱର ଲୟରେ ସ୍ତ୍ରୀର ଶୃଙ୍ଗାର ବର୍ଣ୍ଣିତ ହୋଇଛି ତାହା ଭୁଲ୍ ରେ ସୁଦ୍ଧା ଶ୍ରବଣୀୟ ନୁହେଁ କାରଣ ଏହା ଶୁଣିବା ଦ୍ଵାରା ହରିଣର ଦୁର୍ଦ୍ଦଶା ଭୋଗ କରିବାକୁ ପଡ଼ିଥାଏ।
ଏକଦା ଋଷିି ବିଭାଣ୍ଡକଙ୍କ ପୁତ୍ର ୠଷ୍ୟଶୃଙ୍ଗ ଏହିପରି ସ୍ତ୍ରୀ ମାନଙ୍କ ସୁଲଳିତ ସଙ୍ଗୀତ , ହାବଭାବ ତଥା କଟାକ୍ଷ ନୃତ୍ୟରେ ଫସି ଯାଇ , ଆତ୍ମ ବିସ୍ମୃତ ହୋଇ ସେମାନଙ୍କର ବଶତା ସ୍ବୀକାର କରିବାକୁ ବାଧ୍ୟ ହୋଇ ମୁନିଙ୍କର କାମ ଭାବ ଜାଗ୍ରତ ହୋଇ ତପ ଭଗ୍ନ ହୋଇଥିଲା। କାରଣ ମାନବ ହୃଦୟ ରେ ସଙ୍ଗୀତର ତୀକ୍ଷ୍ମ ପ୍ରବାହ ପଡ଼ିଥାଏ।
ଓଡ଼ିଆ ଭାଗବତ ରୁ କିଛି ପଦ :-
“ଲୁବଧକ୍ ଗୀତ ଶୁଣି କର୍ଣ୍ଣେ । ଯେସନେ ମୃଗ ମରେ ବନେ ।। ସଙ୍ଗୀତ ବାଦ୍ୟ ନୃତ୍ୟ ରଙ୍ଗେ । ଅରଣ୍ୟ ବେଶ୍ୟା ଗଣ ସଙ୍ଗେ ।। ଚିତ୍ତେ ତାହାଙ୍କ ଭାବ ଘେନି । କାନନେ ଋଷ୍ୟଶୃଙ୍ଗ ମୁନି ।। ବନ୍ଦୀ ହୋଇଲେ କାମ ପାଶେ । ଶ୍ରବଣ ଇନ୍ଦ୍ରିୟ ଲାଳସେ।। ଏଣୁ ମୁଁ ମୃଗ ଗୁରୁ କରି । ଭ୍ରମେ ଭ୍ରୂକୁଟୀ ରୂପ ଧରି ।।