କୋଭିଡ ସତ୍ତେ୍ୱ ଭାରତୀୟ ଅର୍ଥନୀତିରେ ଦ୍ରୁତ ଅଭିବୃଦ୍ଧି

ନୂଆଦିଲ୍ଲୀ : ଦେଶରେ କୋଭିଡ-୧୯ ଭାଇରସ ସତ୍ତେ୍ୱ ଭାରତୀୟ ଅର୍ଥନୀତିରେ କୌରସି ପ୍ରକାର ହ୍ରାସ ପାଇନାହିଁ । କୋଭିଡର ପ୍ରଥମ ଲହର ଭଳି ଦ୍ୱିତୀୟ ଲହର ଅର୍ଥନୀତିକୁ ବିଶେଷ କିଛି କ୍ଷତି ପହଞ୍ଚାଇପାରି ନାହିଁ । ସେହିପରି ଯଦି ଆଗାମୀ ଦିନରେ ଏହି ସମସ୍ୟା ଆଉ ଦେଖା ନ ଦିଏ ତା’ହେଲେ ଆର୍ଥିକ ବର୍ଷ ୨୦୨୨-୨୩ରେ ଭାରତର ଅର୍ଥନୀତି ୮ ପ୍ରତିଶତରୁ ୮.୫% ଉପରକୁ ଉଠିବ । ତେବେ ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ୯.୨% ରହିବ । ଏଥିରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅଭିବୃଦ୍ଧି ୩.୯ ପ୍ରତିଶତ ରହିବ । ମହାମାରୀ ରଣନୀତି ଦେଶର ଅର୍ଥନୀତିକୁ ଉତ୍ତମ ସ୍ଥିତିରେ ପହଞ୍ଚାଇବାରେ ସହାୟକ ହୋଇଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ଏକ ରିପୋର୍ଟରେ କୁହାଯାଇଛି ଯେ କୋଭିଡ ମହାମାରୀରେ ଦେଶର କୃଷି କ୍ଷେତ୍ର କମ୍‌ ପ୍ରଭାବିତ ହୋଇଛି । ସେହିପରି ଆଗାମୀ ଦିନରେ ଏହି ସମସ୍ୟାର ସାମ୍ନା କରିବା ପାଇଁ ଭାରତୀୟ ଅର୍ଥନୀତି ଭଲ ସ୍ଥିତିରେ ରହିଛି । ସେହିପରି କରୋନା ମହାମାରୀ ସେତ୍ତ୍ୱ ଦେଶରେ ବ୍ୟାଙ୍କଗୁଡିକର ସ୍ଥିତି ଉଲ୍ଲେଖନୀୟ ସ୍ଥିତିରେ ରହିଛି । ବହିର୍ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ସ୍ଥିତି ଭଲ ରହିଛି । ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୬୩୪ ବିଲିଅନ ଡଲାର ସ୍ତରକୁ ବୃଦ୍ଧି ପାଇଛି ଯାହା ବିଦେଶୀ ମୁଦ୍ରା ମହଜୁଦ କ୍ଷେତ୍ରରେ ଭାରତ ଏକଦା ଦୁର୍ବଳ ୫ଟି ରାଷ୍ଟ୍ର ମଧ୍ୟରେ ଥିବାବେଳେ ଏବେ ବିଶ୍ୱର ଚତୁର୍ଥ ବୃହତ୍‌ ବିଦେଶୀ ମୁଦ୍ରା ମହଜୁଦକାରୀ ରାଷ୍ଟ୍ରରେ ପରିଣତ ହୋଇଛି ।