ନୂଆଦିଲ୍ଲୀ: ୟୁକ୍ରେନ୍ର ସୀମାବର୍ତ୍ତି ଅଞ୍ଚଳରେ ହୋଇଛି ଗୁଳିମାଡ। ରୁଷ ସମର୍ଥକ ବିଦ୍ରୋହୀମାନେ ଗୁଳିମାଡ କରିଛନ୍ତି। ଏଥିରେ ୟୁକ୍ରେନର ଦୁଇ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ପୂର୍ବ ୟୁକ୍ରେନ୍ର ସେନାଙ୍କ କହିବା ମୁତାବକ, ଶନିବାର ଦିନ ଏହି ଗିଳୁମାଡ ହୋଇଛି। ରୁଷର ସମର୍ଥକ ବିଚ୍ଛିନ୍ନତାବାଦୀଙ୍କ ଗୁଳିରେ ଦୁଇ ଜଣ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି।
ରୁଷ ସମର୍ଥକ ବିଦ୍ରୋହୀମାନେ ସୋଶାଲ ମିଡିଆ ସାଇଟ୍ ଟେଲିଗ୍ରାମରେ ୟୁକ୍ରେନର ପକ୍ଷରୁ ନିୟନ୍ତ୍ରଣ ରେଖା ଉପରେ ଗୁଳିମାଡ କରାଯାଇଥିବା ଅଭିଯୋଗ କରିଛନ୍ତି। ତାଙ୍କୁ ସେମାନଙ୍କ ଅନୁସାରେ ଏହାର ଜବାବ ଦେବାକୁ ପଡିବ ବୋଲି ରୁଷ ସମର୍ଥକ ବିଦ୍ରୋହୀମାନେ କହିଛନ୍ତି। ଚଳିତସପ୍ତାହରେ ସରକାରୀ ଦଳ ଏବଂ ବିଚ୍ଛିନ୍ନତାବାଦୀଙ୍କ ମଧ୍ୟରେ ସୀମାବର୍ତ୍ତି ଅଞ୍ଚଳରେ ଗୁଳି ବିନିମୟରେ ପ୍ରବଳ ବୃଦ୍ଧି ଘଟିଛି, ଯାହାକୁ ୟୁକ୍ରେନ ସରକାର ଏହା ଯୁଦ୍ଧକୁ ଉସ୍କାଇବା ଭଳି ବୋଲି ବର୍ଣ୍ଣନା କରିଛନ୍ତି।
ୟୁକ୍ରେନ୍ ସେନା ନିଜ ଫେସବୁକ୍ ପେଜରେ ଉଲ୍ଲେଖ କରିଛି, ଗତ ୨୪ ଘଣ୍ଟା ମଧ୍ୟରେ ୭୦ଟି ଅସ୍ତ୍ରବିରତି ଉଲ୍ଲଂଘନ ମାମଲା ରୁଜୁ ହୋଇଛି। ରୁଷ ସମର୍ଥକ ବିଦ୍ରୋହୀମାନେ ୩୦ରୁ ଅଧିକ ବସ୍ତି ଅଞ୍ଚଳରେ ପ୍ରବଳ ଗୁଳିଗୋଳା ମାଡ କରିଛନ୍ତି। ସେଠାକାର ରାଷ୍ଟ୍ରପତି ଭଲୋଡିମିର ଜେଲେଂସ୍କିଙ୍କ ଦଳର ମୁଖପାତ୍ର ଶନିବାର ଏକ ପୃଥକ ବିବୃତ୍ତିରେ କହିଛନ୍ତି ଯେ, ବିବାଦୀୟ ଅଞ୍ଚଳ ପରିଦର୍ଶନ କରୁଥିବା ସାଂସଦ ତଥା ବିଦେଶୀ ଗଣମାଧ୍ୟମର ଗୋଷ୍ଠୀ ଉପରେ ଆକ୍ରମଣ କରାଯାଇଛି। ଏହାପର ଠାରୁ ସେମାନଙ୍କୁ ସେଠାରୁ ଉଦ୍ଧାର କରି ସେଲ୍ଟର ହୋମ୍ରେ ରଖାଯାଇଛି।
ସୂଚନା ମୁତାବକ, ଶୁକ୍ରବାର ମଧ୍ୟ ପୂର୍ବ ୟୁକ୍ରେନରେ ଏକ ଗାଡି ଭିତରେ ପ୍ରବଳ ବିସ୍ଫୋରଣ ହୋଇଥିଲା। ଏହି ଘଟଣା ପୂର୍ବ ୟୁକ୍ରେନ୍ ଡୋନେଟ୍ସ୍କ ସହରେ ଘଟିଥିଲା, ଯେଉଁଠି ରୁଷ ସମର୍ଥକ ବିଦ୍ରୋହୀମାନେ କବ୍ଜା କରିଛନ୍ତି। ୟୁକ୍ରେନ ଉପରେ ଋଷିଆ କୌଣସି ମୁହୁର୍ତ୍ତରେ ଆକ୍ରମଣ କରିପାରେ ବୋଲି ଆମେରିକା ଦାବି କରୁଛି। ଏବେ ପୁଣି ସମାନ କଥା ଦୋହରାଇ ସତର୍କ କରାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍।