ରୁଷିଆ ଆକ୍ରମଣରେ ୧୩୭ ନାଗରିକଙ୍କ ମୃତ୍ୟୁ ହୋଇଛି: ୟୁକ୍ରେନ୍

ନୂଆଦିଲ୍ଲୀ : ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ବିବାଦ ବଢ଼ି ଚାଲିଛି। ଫଳରେ ଏବେ ହିଂସାର ମାତ୍ରା ଅଧିକ ବଢ଼ିବାରେ ଲାଗିଛି। ୟୁକ୍ରେନ୍‌ର ରାଷ୍ଟ୍ରପତି କହିଛନ୍ତି ଯେ, ରୁଷିଆର ଆକ୍ରମଣରେ ନିଜ ଦେଶର ୧୩୭ ଜଣ ନାଗରିକଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟରେ ୟୁକ୍ରେନ ଉପରେ ରୁଷିଆର ବିଭିନ୍ନ ସହରରେ ପ୍ରଦର୍ଶନ ହୋଇଛି। ରୁଷୀୟ ପୋଲିସ ୟୁକ୍ରେନ୍‌ ବିରୋଧରେ ଆକ୍ରମଣକୁ ବିରୋଧ କରୁଥିବା ୧୭୦୦ ପ୍ରଦର୍ଶନକାରୀଙ୍କୁ ଅଟକ ରଖିଛି।

ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଉତ୍ତେଜନା ଜାରି ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଫୋନରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯାଇ ପାରିବ। ତାଙ୍କ କହିବା ଅନୁସାରେ କୁଟନୀତି ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ। ପ୍ରଧାନମନ୍ତ୍ରୀ ମୋଦୀ ଏହି ଆଲୋଚନା ସମୟରେ ପୁତିନଙ୍କ ସାମ୍ନାରେ ଭାରତୀୟ ମାନଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଛନ୍ତି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ହିଂସା ଛାଡ଼ିବାକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି। ସେ କହିଛନ୍ତି ଯେ, ଆଲୋଚନା ମାଧ୍ୟମରେ ମାମଲାର ସମାଧାନ ହୋଇଯିବା ଦରକାର।