ୟୁକ୍ରେନ୍ ଆକ୍ରମଣ କଲା ରୁଷ୍

ମସ୍କୋ : ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରର ସବୁ ପ୍ରକାର ଧମକ, କଟକଣା ଓ କୂଟନୈତିକ ଉଦ୍ୟମକୁ ବେଖାତିର କରି ଗୁରୁବାର ସକାଳେ ରୁଷ୍ ପଡୋଶୀ ୟୁକ୍ରେନ୍ ଉପରେ ଆକ୍ରମଣ କରିଛି । ଦ୍ୱିତୀୟ ବିଶ୍ୱ ଯୁଦ୍ଧପରେ ୟୁରୋପ ପ୍ରଥମ ଥର କୌଣସି ଦୁଇ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ଘଟିଥିବା ଲକ୍ଷ୍ୟ କରିଛି । ସକାଳର ସୂର୍ଯ୍ୟକିରଣ ଭଲଭାବେ ୟୁକ୍ରେନ୍ ମାଟିକୁ ସ୍ପର୍ଶ କରିନଥିବା ସମୟରେ ରୁଷ୍ ପକ୍ଷରୁ ଜଳ, ସ୍ଥଳ ଓ ଆକାଶ, ଏହି ତିନି ବାହିନୀ ପକ୍ଷରୁ ଏକାସାଙ୍ଗରେ ଆକ୍ରମଣ ଆରମ୍ଭ ହୋଇଥିଲା । ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନଙ୍କଠାରୁ ଆକ୍ରମଣ ସମ୍ପର୍କିତ ସବୁଜ ସଙ୍କେତ ପାଇବାପରେ ରୁଷ୍ କ୍ଷେପଣାସ୍ତ୍ରଗୁଡିକ ୟୁକ୍ରେନ୍‌ର ଏକାଧିକ ସହର ଅଭିମୁଖେ ଉଡିଥିଲା । ଆକ୍ରମଣରେ ୟୁକ୍ରେନ୍‌ର ୧୧ଟି ବାୟୁସେନା ଘାଟି ଓ ଏୟାର ଡିଫେନ୍ସ ସିଷ୍ଟ ଧ୍ୱଂସ ପାଇଛି ବୋଲି ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଆକ୍ରମଣରେ ୟୁକ୍ରେନ୍‌ର ୪୦ ସୈନ୍ୟ ଓ ୧୦ ସାଧାରଣ ଲୋକ ପ୍ରାଣ ହରାଇଥିବାବେଳେ ୭୪ଟି ସାମରିକ ପ୍ରତିଷ୍ଠାନକୁ ଧ୍ୱଂସ କରାଯାଇଛି ବୋଲି ରୁଷ୍ ଦାବି କରିଛି । ଅପରପକ୍ଷରେ ପ୍ରତିଆକ୍ରମଣରେ ରୁଷର ୫ଟି ବିମାନ ଓ ହେଲିକପ୍ଟରକୁ କ୍ଷେପଣାସ୍ତ୍ର ମାଡ କରି ଖସାଇ ଦିଆଯାଇଛି ଏବଂ ତାହାର ୫୦ ଜଣ ସୈନ୍ୟଙ୍କୁ ହରାଇଥିବା ୟୁକ୍ରେନ୍ କହିଛି ।

ରୁଷ୍‌ର ଲଢୁଆ ବିମାନଗୁଡିକ ପ୍ରଥମେ ୟୁକ୍ରେନ୍‌ର ଦୁଇଟି ବିଚ୍ଛିନ୍ନାଞ୍ଚଳ ଡୋନେସ୍କ୍ ଓ ଲୁହାନ୍‌ସ୍କ୍‌ରେ ଥିବା ବାୟୁସେନା ଘାଟିକୁ ବୋମାମାଡ ଜରିଆରେ ଉଡାଇ ଦେଇଥିଲେ । ଅପରପକ୍ଷରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ରୁଷ୍‌ର ସହସ୍ରାଧିକ ସୈନ୍ୟ ତିନି ଦିଗ ଯଥା ଉତ୍ତର, ଦକ୍ଷିଣ ଓ ପୂର୍ବ ଦିଗରୁ ଚେର୍ନିହିଭ୍‌, ଖାରକିଭ୍ ଓ ଲୁହାନ୍‌ସ୍କ୍ ସହର ଦେଇ ୟୁକ୍ରେନ ସୀମାକୁ ପ୍ରବେଶ କରି ଆକ୍ରମଣ ଜାରି ରଖିଥିଲେ । ରୁଷ୍ ନୌବାହିନୀର ଏକାଧିକ ଜାହାଜ ଓଡେଶା ଓ ମାରିୟୁପୋଲ୍ ବନ୍ଦରରେ ପହଞ୍ଚି ଜଳପଥରେ ଆକ୍ରମଣ ଯୋଜନାକୁ କାର୍ଯ୍ୟକାରୀ କରିଥିଲା । କୃଷ୍ଣସାଗରରେ ଅବସ୍ଥିତ ବନ୍ଦର ସହର ଓଡେଶାର ଏକ ସାମରିକ ଘାଟି ଉପରେ ବୋମାମାଡ ଫଳରେ ୧୮ ଜଣ ୟୁକ୍ରେନ୍ ସୈନ୍ୟ ପ୍ରାଣ ହରାଇଛନ୍ତି ବୋଲି ରୁଷ୍ ଦାବି କରିଛି । କ୍ରମଶଃ ଏହି ଆକ୍ରମଣ ୟୁକ୍ରେନ୍ ରାଜଧାନୀ କିଏଭ୍ ଆଡକୁ ମୁହାଁଇଥିଲା । ଗୁରୁବାର ସକାଳେ ୩୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ କିଏଭ୍‌ରେ ପ୍ରଚଣ୍ଡ ବିସ୍ଫୋରଣ ଶୁଣିବାକୁ ମିଳିଥିଲା । ଆତଙ୍କିତ ଅବସ୍ଥାରେ ଲୋକେ ଜୀବନ ବଞ୍ଚାଇବାକୁ ସଂଘର୍ଷ କରିଥିଲେ । ଶହ ଶହ ସଂଖ୍ୟାରେ ଲୋକେ କିଏଭ୍ ଛାଡି ପଳାଉଥିବାର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା । ସହରର ରାଜପଥଗୁଡିକରେ ଅସମ୍ଭବ ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳିଥିଲା । ଅନନ୍ୟୋପାୟ ହୋଇ ଅନେକ ଲୋକ କିଏଭ୍‌ର ସବ୍‌ୱେ ଗୁଡିକରେ ପିଲାଛୁଆ ଧରି ଆତଙ୍କିତ ଅବସ୍ଥାରେ ରୁଣ୍ଡ ହୋଇଥିଲେ । ଆକ୍ରମଣରେ ୟୁକ୍ରେନ୍‌ର ଦ୍ୱିତୀୟ ବୃହତ୍ତମ ସହର ଖାରର୍କିଭ୍ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଘନ ଘନ ବୋମାମାଡ୍‌ରେ ସହରର ଅଧିକାଂଶ ଘରଦ୍ୱାର ଧରାଶାୟୀ ହୋଇଥିବାବେଳେ ସହରର ଆକାଶ ଧୂଆଁମୟ ହୋଇଉଠିଥିଲା । ରୁଷ୍ ସୀମାକୁ ଏହି ସହର ଲାଗିଥିବାରୁ ଏହାକୁ ପ୍ରଥମେ ଟାର୍ଗେଟ କରାଯାଇଥିଲା । ଏହାବ୍ୟତୀତ ରୁଷ୍ ସମର୍ଥିତ ବିଦ୍ରୋହୀଙ୍କ ଆଡ୍ଡାସ୍ଥଳ କୁହାଯାଉଥିବା ମାରିୟୁପୋଲ୍ ସହରରେ ମଧ୍ୟ ଆକ୍ରମଣର ବିଭୀଷିକା ଦେଖିବାକୁ ମିଳିଥିଲା । ବୋମାମାଡ୍ ଯୋଗୁଁ ସହରର ଲୋକେ ଆବଶ୍ୟକ ଜିନିଷପତ୍ର ଧରି ଅନ୍ୟତ୍ର ପଳାଇବାକୁ ଉଦ୍ୟମ କରିଥିଲେ । ପଡୋଶୀ ମାନ୍‌ଗୁଶ ଓ ବେର୍ଡିନାସ୍କ୍ ସହରରେ ଲୋକେ ଏଟିଏମ୍ କାଉଣ୍ଟର ଏବଂ ଗ୍ୟାସ୍ ଡିପୋ ସମ୍ମୁଖରେ ଲମ୍ବା ଲାଇନ ଲଗାଇଥିବା ଦେଖାଯାଇଥିଲା । ସହସ୍ରାଧିକ ୟୁକ୍ରେନ୍‌ବାସୀ ପ୍ରାଣ ବିକଳରେ ପଡୋଶୀ ରାଷ୍ଟ୍ରକୁ ପଳାୟନ କରିଥିବା ଜଣାପଡିଛି । ଏଲ୍‌ଭିଭ୍ ସହରର ଚାରିଲେନ୍ ବିଶିଷ୍ଟ ରାଜପଥଗୁଡିକରେ ସହସ୍ରାଧିକ କାର୍ ଓ ଅନ୍ୟ ଚାରିଚକିଆ ଯାନ ମାଇଲ ମାଇଲ ଧରି ଲାଇନରେ ରହିଥିବା ଏକ ଭିଡିଓ ଫୁଟେଜ୍‌ରୁ ଜଣାପଡିଛି । ଅପରପକ୍ଷରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡୋମୀର ଜେଲେନ୍‌ସ୍କି ରୁଷ୍ ପକ୍ଷରୁ ପୂର୍ଣ୍ଣାଙ୍ଗ ଯୁଦ୍ଧ ଆରମ୍ଭ ହୋଇଛି ବୋଲି ସ୍ୱୀକାର କରିବା ସହ ଦେଶରେ ସାମରିକ ଆଇନ ଲାଗୁ କରିଛନ୍ତି । ରୁଷ୍ ପକ୍ଷରୁ ୟୁକ୍ରେନ୍‌ର ସାମରିକ ଘାଟି ଉପରେ ଆକ୍ରମଣ କରାଯାଉଥିଲେ ସୁଦ୍ଧା ଏଥିରେ ଆତଙ୍କିତ ନହେବାକୁୁ ସେ ଦେଶବାସୀଙ୍କୁ ଆହ୍ୱାନ ଦେବାସହିତ ଆଗାମୀ ଦିନରେ ୟୁକ୍ରେନ୍‌ର ବିଜୟ ଘଟିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।