ସେନ୍ସେକ୍ସରେ ୨୭୦୨ ପଏଣ୍ଟ୍ ହ୍ରାସ

ରୁଷ୍-ୟୁକ୍ରେନ୍ ଯୁଦ୍ଧ ପ୍ରଭାବ

ନୂଆଦିଲ୍ଲୀ : ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ଧରାଶାୟୀ ହୋଇଛି ଭାରତୀୟ ପୁଞ୍ଜିବଜାର । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ (ବିଏସ୍‌ଇ)ରେ ଚଳିତ ବର୍ଷର ସର୍ବବୃହତ୍ ହ୍ରାସ ଘଟିଛି । ଆଜି କାରବାର ସପ୍ତାହର ୪ର୍ଥ କାର୍ଯ୍ୟ ଦିବସରେ ବିଏସ୍‌ଇରେ ୨୭୦୨.୧୫ ପଏଣ୍ଟ୍ ହ୍ରାସ ଘଟି କାରବାର ଶେଷ ବେଳକୁ ୫୪,୫୨୯.୯୧ ପଏଣ୍ଟ୍‌ରେ ବନ୍ଦ ରହିଛି ।

ଅପରପକ୍ଷରେ ନିଫ୍ଟି ମଧ୍ୟ କାରବାର ଶେଷ ବେଳକୁ ୮୧୫.୩୦ ପଏଣ୍ଟ୍ ହ୍ରାସ ଘଟି ୧୬,୨୪୭.୯୫ ପଏଣ୍ଟରେ ବନ୍ଦ ରହିଛି । ଏଯାବତ୍ ସେନ୍‌ସେକ୍ସର ଏହା ୪ର୍ଥ ସର୍ବବୃହତ୍ ହ୍ରାସ । ଏହାବ୍ୟତୀତ ବିଗତ ଦୁଇବର୍ଷ ମଧ୍ୟରେ ଏହା ସର୍ବବୃହତ୍ ହ୍ରାସ ବୋଲି ଜଣାପଡ଼ିଛି । ଏହି ବୃହତ୍ ହ୍ରାସ ଯୋଗୁଁ ନିବେଶକମାନେ ୧୩ ଲକ୍ଷ କୋଟି ଟଙ୍କାର କ୍ଷତି ଘଟିଛି । ସୂଚନାଯୋଗ୍ୟ ଯେ ବର୍ଷ ୨୦୨୦ରେ ବୈଶ୍ୱିକ ମହାମାରୀ କରୋନା ଆରମ୍ଭ ହେବା ପରଠାରୁ ଭାରତୀୟ ବଜାରରେ ଅନେକ ଥର ଧରାଶାୟୀ ହୋଇଛି । ପ୍ରଥମଥର ପାଇଁ ମହାମାରୀ ଆରମ୍ଭ ହେବା ପରେ ସର୍ବଭାରତୀୟ ସ୍ତରରେ କଟକଣା ଲାଗୁ ହେବା ପରେ ୨୩, ମାର୍ଚ୍ଚ ୨୦୨୦ରେ ସେନ୍‌ସେକ୍ସରେ ୩୯୩୪ ପଏଣ୍ଟ୍ ହ୍ରାସ ଘଟିଥିଲା ।

ଆଜି ଭାରତୀୟ ବଜାରରେ କାରବାର ଆରମ୍ଭ ହେବା ପରଠାରୁ ହ୍ରାସର ଧାରା ଆରମ୍ଭ ହୋଇଯାଇଥିଲା । କେବଳ ଭାରତୀୟ ବଜାରରରେ ନୁହେଁ ସାରା ବିଶ୍ୱରେ ମଧ୍ୟ ରୁଷ୍‌-ୟୁକ୍ରେନ୍ ଯୁଦ୍ଧର ପ୍ରଭାବରେ ହ୍ରାସ ଘଟିଛି । ଆମେରିକା, ଜ।।ପାନ୍‌, ବ୍ରିଟେନ୍‌, ଚୀନ୍ ସହିତ ବିଶ୍ୱର ଅନେକ ଦେଶର ପୁଞ୍ଜିବଜାର ଧରାଶାୟୀ ହୋଇଛି । ଅପରପକ୍ଷରେ ଏହି ସଂକଟ ଯୋଗୁଁ ପ୍ରଥମଥର ପାଇଁ ଅର୍ଥାତ୍ ୨୦୧୪ ପରଠାରୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳଦର ୧୦୦ ଡଲାର୍ ପ୍ରତି ବ୍ୟାରେଲ୍ ଅତିକ୍ରମ କରିଛି । ସୂଚନାଯୋଗ୍ୟ ଯେ ରୁଷ୍ ବିଶ୍ୱର ୩ୟ ସର୍ବବୃହତ୍ ତୈଳ ଉତ୍ପାଦକ । ମୁଖ୍ୟତଃ ରୁଷ୍ ୟୁରୋପୀୟ ରିଫାଇନାରୀଗୁଡ଼ିକୁ ତୈଳ ବିକ୍ରି କରିଥାଏ । ୟୁରୋପୀୟ ଦେଶଗୁଡ଼ିକ ୨୦%ରୁ ଅଧିକ ତୈଳ ରୁଷ୍‌ରୁ ଆମଦାନୀ କରିଥାନ୍ତି । ଏହାର ପ୍ରଭାବ ଭାରତୀୟ ପୁଞ୍ଜିବଜାରରେ ପଡ଼ିଛି । ଆଜିର ହ୍ରାସରେ ସର୍ବାଧିକ କ୍ଷତି ସହିଛନ୍ତି ବ୍ୟାଙ୍କିଙ୍ଗ୍ ଶେୟାର୍ସ । ଦୁନିଆର ଟପ୍ ୨୦ ଧନୀ ଆଜିର ଦିନରେ ହିଁ ୩ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହରାଇଛନ୍ତି । କେବଳ ଏଲନ୍ ମସ୍କଙ୍କ ମୋଟ ସମ୍ପତ୍ତିରେ ୧.୦୩ ଲକ୍ଷ କୋଟି ହ୍ରାସ ଘଟିଛି । ଭାରତୀୟ ଟପ୍‌ଟେନ୍ ଶୀର୍ଷ ଧନୀ ମଧ୍ୟ ୬୦ ହଜାର କୋଟି ଟଙ୍କା ହରାଇଛନ୍ତି ।