ରୁଷ-ୟୁକ୍ରେନ ଯୁଦ୍ଧ: ସୁରକ୍ଷା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ଓ ୟୁରୋପୀୟ ଦେଶ ନେତାଙ୍କ ସହ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଚାର୍ଲ୍ସ ମିସେଲଙ୍କ ସହ ଭାରତୀୟଙ୍କ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ବର୍ତ୍ତମାନ ଜାରି ରହିଥିବା ୟୁକ୍ରେନ ସଙ୍କଟ ଓ ୟୁକ୍ରେନର ବଡ ସହର ଖାର୍କିଭ ସହରରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ପରେ ଭାରତୀୟଙ୍କ ସୁରକ୍ଷା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏହି ଘଟଣାରେ ପରିଷଦ ଅଧ୍ୟକ୍ଷ ମିସେଲ ଦୁଃଖ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି । ସେହିପରି ୟୁକ୍ରେନରେ ରୁଷ ଆକ୍ରମଣ କରୁଥିବାରୁ ସାଧାରଣ ଜନତା ପ୍ରାଣ ହରାଉଛନ୍ତି ବୋଲି ସେ କହିଛନ୍ତି । ତେବେ ଘଟଣା ପରେ ସେଠାରେ ଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ଦେଶରେ ଉଦବେଗ ପ୍ରକାଶ ପାଇଥିବାବେଳେ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି ଏହି ପ୍ରସଙ୍ଗରେ ଏକ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି । ଅନ୍ୟପକ୍ଷରେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ରହିଥିବା ଅପରେସନ ଗଙ୍ଗାକୁ ଯୁଦ୍ଧାକାଳୀନ ଭିତ୍ତିରେ ସଞ୍ଚାଳିତ କରି ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ମିଶନକୁ ନିଶ୍ଚିତ କରିବା ନେଇ ଗୁରୁତ୍ୱ ପ୍ରକାଶ ପାଇଛି ।