ଚୀନକୁ ଚେକ୍ ଦେବାପାଇଁ ଏକାଠି ହେଲେ ୪ ଦେଶ

ନୂଆଦିଲ୍ଲୀ : ବିଶ୍ବରେ ଦିନକୁ ଦିନ ଚୀନର ଦୌରାତ୍ମ୍ୟ ବଢିଚାଲିଛି। ଚୀନର ଦୌରାତ୍ମ୍ୟ କମାଇବା ସହ ତାହାର ମୁକାବିଲା ପାଇଁ ଏକାଠି ହୋଇଛନ୍ତି ବିଶ୍ବର ସୁପରପାଓ୍ବାର ଆମେରିକା ଓ ଅନ୍ୟ ୩ଟି ଶକ୍ତିଶାଳୀ ଦେଶ-ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ।

ଏହି ୪ଟି ଦେଶକୁ ନେଇ ଗଠିତ ମେଣ୍ଟ କ୍ବାଡର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ଟୋକିଓଠାରେ ବସିବାକୁ ଯାଉଛି । ଏଥିରେ ଏହି ୪ଟି ଦେଶର ବୈଦେଶିକ ମନ୍ତ୍ରୀମାନେ ଯୋଗ ଦେବେ । ଭାରତ ପକ୍ଷରୁ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଏହି ବୈଠକରେ ଯୋଗ ଦେବେ । କ୍ବାଡ ସଂଗଠନରେ ଏହା ହେଉଛି ୨ୟ ମନ୍ତ୍ରୀସ୍ତରୀୟ ବୈଠକ । ଗତ ବର୍ଷ ନ୍ୟୁୟର୍କଠାରେ ପ୍ରଥମ ମନ୍ତ୍ରୀ ସ୍ତରୀୟ ବୈଠକ ବସିଥିଲା ।

ଏହି ମେଣ୍ଟ ମାଧ୍ୟମରେ ପରସ୍ପର ମଧ୍ୟରେ ସାମରିକ ଓ କୂଟନୈତିକ ସହଯୋଗ ପାଇଁ ଆମେରିକା, ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ପୂର୍ବରୁ ସହମତ ହୋଇଥିଲେ । ତେବେ ଏହି ସଂଗଠନକୁ ସମାଲୋଚନା କରିଛି ଚୀନ । କ୍ବାଡ କୌଣସି ୩ୟ ଦେଶକୁ ଟାର୍ଗେଟ କରିବା ଉଚିତ ନୁହେଁ ବୋଲି ବେଜିଂ କହିଛି । ହେଲେ ଚୀନର ପ୍ରଭାବକୁ ଓ ବଢିଚାଲିଥିବା ଆଧିପତ୍ୟର ମୁକାବିଲା ଲାଗି ଏହି ମେଣ୍ଟ ଗଠନ କରାଯାଇଛି ।