କୋଇଲା ଦୁର୍ନୀତିରେ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ

ଭୁବନେଶ୍ବର (ଏସ୍ ନ୍ଯୁଜ ): କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ । ରାୟ ଶୁଣାଇଛନ୍ତି ଦିଲ୍ଲୀର ସ୍ପେଶାଲ କୋର୍ଟ ଜଜ୍ ଭାରତ ପରାଶର । ପ୍ରଥମ ମନ୍ତ୍ରୀ ଭାବରେ କୋଇଲା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଦିଲ୍ଲୀପ ରାୟ । ଆସନ୍ତା ଅକ୍ଟୋବର ୧୪ ତାରିଖରେ ଦଣ୍ଡ ବିଧାନ ରହିଛି ।


ଏଠାରେ ଉଲ୍ଲେଖଥାଉକି, ୧୯୯୯ ମସିହାରେ ଝାଡ଼ଖଣ୍ଡ ଗିରିଡିହରେ ଥିବା ବ୍ରହ୍ମଡିହ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ଅଭିଯୋଗ ହୋଇଥିଲା । ସେତେବେଳେ ବାଜପେୟୀ ସରକାରରେ କେନ୍ଦ୍ରରେ କୋଇଲା ମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ । ତାଙ୍କ ବିରୋଧରେ ଠକେଇ, ଅପରାଧିକ ଷଡ଼ଯନ୍ତ୍ର ଆଦି ମାମଲା ରୁଜୁ ହୋଇଥିଲା ।


ଦିଲ୍ଲୀପ ରାୟଙ୍କ ସମେତ ସେତେବେଳେ କୋଇଲା ମନ୍ତ୍ରାଳୟର ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ ବି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏମାନଙ୍କ ସହ କାଷ୍ଟ୍ରନ୍ ଟେକ୍ନୋଲୋଜିଜ୍ ଲିମିଟେଡ, ଏହାର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରଓ୍ୱାଲ ଓ କାଷ୍ଟ୍ରନ୍ ମାଇନିଂ ଲିମିଡେଟକୁ ବି ଦୋଷୀ ସାବ୍ୟସ୍ତ କରାଯାଇଛି ।


୧୯୯୯ରେ ବ୍ରହ୍ମଡିହ କୋଇଲା ବ୍ଲକରୁ କାଷ୍ଟ୍ରନ୍ ଟେକ୍ନୋଲୋଜି ଲିମିଟେଡକୁ ଅହେତୁକ ଅନୁକମ୍ପା ଦେଖାଇ ବଣ୍ଟନ କରାଯାଇଥିବା ବେଳେ ଏଥିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।ଏ ସମସ୍ତଙ୍କ ବିରୋଧରେ ସିବିଆଇ ତଦନ୍ତ କରି ଆଇପିସିର ଧାରା ୧୨୦-ବି (ଅପରାଧିକ ଷଡଯନ୍ତ୍ର), ଧାରା ୪୨୦ (ପ୍ରତାରଣା) ଏବଂ ଧାରା ୪୦୯ (ବିଶ୍ବାସର ଅପରାଧିକ ଉଲ୍ଲଂଘନ)ରେ ଚାର୍ଜଫ୍ରେମ କରିଥିଲା ।