ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ କରାଇବାକୁ ଆଜି ସୁପ୍ରିମ୍ କୋର୍ଟ ଆଦେଶ ଦେଇଛନ୍ତି। ଏହି ମାମଲାରେ ଏପର୍ଯ୍ୟନ୍ତ ସଂଗୃହୀତ ସମସ୍ତ ପ୍ରମାଣ ସିବିଆଇକୁ ହସ୍ତାନ୍ତର କରିବାକୁ ସୁପ୍ରିମ୍ କୋର୍ଟ ମୁମ୍ବାଇ ପୁଲିସକୁ କହିଛନ୍ତି।
ଆଜି ପୂର୍ବାହ୍ନ ୧୧ଟାରେ ସୁପ୍ରିମକୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ଏହି ରାୟ ଶୁଣାଇଛନ୍ତି। ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗ କରି ସୁଶାନ୍ତଙ୍କ ପିତା କେ କେ ସିଂ ରିୟାଙ୍କ ବିରୋଧରେ ପାଟନାର ରାଜୀବ ନଗର ଥାନାରେ କେସ୍ କରିଥିଲେ। ତେବେ ବିହାରରେ ତାଙ୍କ ବିରୋଧରେ କରାଯାଇଥିବା କେସ୍କୁ ମୁମ୍ବାଇ ସ୍ଥାନାନ୍ତର କରିବା ପାଇଁ ରିୟା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆଜି ଏହି ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସୁଶାନ୍ତ ସିଂ ରାଜପୁତ ପରିବାର ଓ ରିୟା ଚକ୍ରବର୍ତ୍ତୀଙ୍କ ପରିବାର ମଧ୍ୟରେ ଚାଲିଥିବା ଏହି ମାମଲାର ରାୟ ଘୋଷଣା କରିଛନ୍ତି ବିଚାରପତି ହୃଷିକେଶ ରାୟ। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲରେ ଏହା ହେଉଛି ସୁପ୍ରିମ୍ କୋର୍ଟଙ୍କ ଚତୁର୍ଥ ଶୁଣାଣି। ଅଗଷ୍ଟ ୫ ତାରିଖ ଦିନ ପ୍ରଥମ ଶୁଣାଣିରେ କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟଙ୍କୁ କହିଥିଲେ ଯେ, ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିବାକୁ ବିହାର ସରକାରଙ୍କ ଅନୁମୋଦନକୁ ସେମାନେ ଗ୍ରହଣ କରିଛନ୍ତି।
ଏହି ମାମଲାରେ ଅଗଷ୍ଟ ୧୩ ତାରିଖରେ ହୋଇଥିବା ଶୁଣାଣିରେ ସମସ୍ତ ପକ୍ଷ ସୁପ୍ରିମ୍ କୋର୍ଟରେ ଚୂଡ଼ାନ୍ତ ଲିଖିତ ଦଲିଲ ଦାଏର କରିଥିଲେ। କେବଳ ଏଫ୍ଆଇଆର୍ ଦାୟର ହୋଇଥିବାରୁ ଏହାକୁ ପ୍ରଭାବହୀନ ମାମଲା କହିବା ସହ ତଦନ୍ତ ଭାର ସିବିଆକୁ ହସ୍ତାନ୍ତର ହୋଇଥିବା ଦର୍ଶାଇ ବିହାର ସରକାର ମଧ୍ୟ ରିୟାଙ୍କ ଆବେଦନ ଖାରଜ କରିବାକୁ ସୁପ୍ରିମ୍ କୋର୍ଟଙ୍କୁ ଅନୁରୋଧ କରିଥିଲେ।
ସୁଶାନ୍ତଙ୍କ ମୃତ୍ୟୁକୁ ଦୁଇ ମାସ ବିତି ଯାଇଥିଲେ ମଧ୍ୟ ମାମଲାର ତଦନ୍ତ କିଏ କରିବ ସେନେଇ ବିବାଦ ଦେଖାଦେଇଥିଲା। ଫଳରେ ଦୀର୍ଘ ଦୁଇ ମାସ ପରେ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ। ତେବେ ସିବିଆଇ ତଦନ୍ତ ପରେ ଖୁବ ଶୀଘ୍ର ତାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହେବ ବୋଲି ମତ ପ୍ରକାଶ ପାଇଛି।