ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମାସରେ ବିଦେଶୀ ଗସ୍ତ କରିପାରନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀ, ଡେନମାର୍କ ଓ ଫ୍ରାନ୍ସ ଗସ୍ତ କରିପାରନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚଳିତ ବର୍ଷର ଏହା ପ୍ରଥମ ବିଦେଶ ଗସ୍ତ ହେବ । ସୂଚନାଯୋଗ୍ୟ ଯେ, ରୁଷ-ୟୁକ୍ରେନ ମଧ୍ୟରେ ଗତ ଫେବ୍ରୁଆରୀ ୨୪ ତାରିଖରୁ ଯୁଦ୍ଧ ଆରମ୍ଭ ହୋଇଛି । ସେହିପରି ଯୁଦ୍ଧ କେବେ ଶେଷ ହେବ ମଧ୍ୟ କୌଣସି ସୂଚନା ନାହିଁ । ଅନ୍ୟପକ୍ଷରେ ଯୁଦ୍ଧ ଶେଷ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ରୁଷ-ୟୁକ୍ରେନକୁ ପରାମର୍ଶ ଦେଇଛନ୍ତି । ସେହିପରି ଭାରତ ଯୁଦ୍ଧକୁ ନେଇ କିଛି ବୟାନ ଦେଇ ନାହିଁ । କିନ୍ତୁ ଆଲୋଚନା ମାଧ୍ୟମରେ ଯୁଦ୍ଧ ବନ୍ଦ କରାଯାଇପାରିବ ବୋଲି ପରାମର୍ଶ ଦେଇଛି । ତେଣୁ ଏଭଳି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁରୋପୀୟ ରାଷ୍ଟ୍ରକୁ ଗସ୍ତ କରିବା ନେଇ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି ।
ଅନ୍ୟପକ୍ଷରେ ଭାରତ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଯେ, ୟୁରୋପୀୟ ଦେଶ ସହିତ ଭାରତର ସଂପର୍କ ନିବିଡ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକାଳରେ ଆଞ୍ଚଳିକ ସହଯୋଗ, ବ୍ୟବସାୟ, ଅର୍ଥନୀତି ଉପରେ ଚର୍ଚ୍ଚା ହେବ ବୋଲି ସୂଚନା ମିଳିଛି । କୂଟନୀତିକ ସୂତ୍ର ଅନୁସାରେ, ୟୁରୋପ ଓ ଭାରତ ପରସ୍ପରର ବିଶେଷତା ଜାଣିଛନ୍ତି । ଭାରତ ପାଇଁ ୟୁରୋପୀୟ ସଂଘ ତୃତୀୟ ସବୁଠୁ ବଡ ବାଣିଜ୍ୟିକ ସହଯୋଗୀ ।
ଅନ୍ୟପଟେ ୟୁରୋପ ପାଇଁ ଭାରତ ମଧ୍ୟ ଏକ ବଡ ବଜାର ସହ ଯୋଗାଣ ଚେନକୁ ସୁଦୃଢ କରିବା କେନ୍ଦ୍ର । ଭାରତ ଓ ୟୁରୋପ ମଧ୍ୟରେ ଗତ ବର୍ଷ ହିଁ ବ୍ୟାପକ ବାଣିଜ୍ୟ ଚୁକ୍ତିକୁ ନେଇ ଆଲୋଚନା ଆରମ୍ଭ ହୋଇଛି ।