ଭୁବନେଶ୍ୱର(ଏସ୍ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ସହିଦ କୋଭିଡ ଯୋଦ୍ଧାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ଅନୁକମ୍ପା ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ ଯେ ସହିଦ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ତଦନୁଯାୟୀ ରାଜ୍ୟ ସରକାର କୋଭିଡ ନିୟନ୍ତ୍ରଣ ଲାଗି କାର୍ଯ୍ୟ କରୁଥିବା ସମୟରେ ସହିଦ ହୋଇଥିବା ୬୦ ଜଣ ଯୋଦ୍ଧାଙ୍କର ନାମ ତାଲିକା ଭାରତ ସରକାରଙ୍କ ନିକଟକୁ ପଠାଇଥିଲେ। ମାତ୍ର, ଭାରତ ସରକାର ମାତ୍ର ଜଣେ ସହିଦଙ୍କୁ ସହାୟତା ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି । ଏ ସଂପର୍କରେ ରାଜ୍ୟ ସରକାର ପୁଣିଥରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ବର୍ତ୍ତମାନ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷରୁ ଅଧିକ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି। ଜାତୀୟ ଆରୋଗ୍ୟ ହାର ୮୫ ପ୍ରତିଶତ ଥିବାବେଳେ ରାଜ୍ୟରେ ଆରୋଗ୍ୟ ହାର ୮୯ ପ୍ରତିଶତ ପହଞ୍ଚିଛି ବୋଲି ଜଣାଯାଇଛି। ରାଜ୍ୟରେ ଗତ ୮ ମାସ ଭିତରେ ୩୬ ଲକ୍ଷ ଟେଷ୍ଟ କରାଯାଇଥିବା ବେଳେ ତନ୍ମଧ୍ୟରୁ ୬.୭୫ ପ୍ରତିଶତ ପଜିଟିଭ କେସ୍ ବାହାରିଛି ।