ନୂଆଦିଲ୍ଲୀ: ଇଂଲଣ୍ଡ ଟେଷ୍ଟ ଦଳକୁ ମିଳିଲା ନୂଆ ଅଧିନାୟକ । ଦଳର ନୂଆ ଟେଷ୍ଟ କ୍ୟାପଟେନ୍ ହେଲେ ବେନ ଷ୍ଟୋକସ । ଏ ନେଇ ସୂଚନା ଦେଇଛି ୱେଲସ କ୍ରିକେଟ ବୋର୍ଡ । ଅଧିନାୟକ ଭାବେ ରୁଟଙ୍କ ପ୍ରଦର୍ଶନ ଭଲ ଥିଲେ ବି, ଗତ କିଛି ମ୍ୟାଚରେ ସେ ଲଗାତାର ବିଫଳତା ଦେଖି ଆସୁଥିଲେ । ପୂର୍ବ ୧୭ଟି ଟେଷ୍ଟରୁ ଇଂଲଣ୍ଡ କେବଳ ଗୋଟିଏ ମ୍ୟାଚରେ ଜିତାପଟ ହାସଲ କରିଥିଲା । ଯେଉଁ କାରଣରୁ ଜୋ ରୁଟ୍ ଇଂଲଣ୍ଡ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ଏପରି ସ୍ଥିତିରେ ଦଳକୁ ଏବେ ମିଳିଛି ନୂଆ ଟେଷ୍ଟ କ୍ୟାପଟେନ ।
ସୂଚନାଯୋଗ୍ୟ ଯେ, ବେନ୍ ଷ୍ଟୋକସଙ୍କୁ ୨୦୧୭ ମସିହାରେ ତାଙ୍କୁ ଦଳର ଉପ-ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିଲା । ତେବେ ବେନ୍ ଷ୍ଟୋକସ୍ ନିଜ ଅଲରାଉଣ୍ଡର ଦକ୍ଷତା ବଳରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିପାରିଛନ୍ତି । ତେଣୁ ତାଙ୍କ ନେତୃତ୍ୱରେ ଦଳ ଆଗକୁ ଯିବ ବୋଲି କ୍ରିକେଟ୍ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ସେହିପରି ଇଂଲଣ୍ଡ କ୍ରିକେଟ୍ ବୋର୍ଡର ନିର୍ଦ୍ଦେଶକ କହିଛନ୍ତି, ଷ୍ଟୋକସଙ୍କୁ ଟେଷ୍ଟ ଅଧିନାୟକ ଭାବେ ଘୋଷଣା କରିବାରେ ମୋତେ କୌଣସି ଅସୁବିଧା ହେଉନାହିଁ । ସେ ଏବେ ଏହି ଦାୟିତ୍ୱ ଓ ସମ୍ମାନ ଗ୍ରହଣ କରିବାକୁ ପ୍ରସ୍ତୁତ ।