ବାୟୁରେ ବ୍ୟାପୁଛି କରୋନା, ସାମ୍ନାକୁ ଆସିଲା ସମ୍ପୂର୍ଣ୍ଣ ତଥ୍ୟ!
ଗବେଷଣା ପରେ ସାମ୍ନାକୁ ଆସିଲା ସମ୍ପୂର୍ଣ୍ଣ ତଥ୍ୟ ବାୟୁରେ ବ୍ୟାପୁଛି କରୋନା !
ନୂଆଦିଲ୍ଲୀ: ମହାମାରୀବିଜ୍ଞାନୀମାନେ ବାୟୁରେ କରୋନା ବ୍ୟାପୁଥିବାର ପ୍ରମାଣ ପାଇଛନ୍ତି। ପରୋକ୍ଷରେ କରୋନା ବ୍ୟାପିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସପ୍ପଷ୍ଟ ରହିଥିବା ବେଳେ ପୂର୍ବରୁ ଚଟାଣରୁ କରୋନା ସଂକ୍ରମଣ ବ୍ୟାପୁଥିବା କୁହାଯାଉଥିଲା। ହେଲେ ବାୟୁରେ ସଂକ୍ରମଣ ହେବା ନେଇ ସନ୍ଦେହ କରାଯାଉଥିଲା। କିନ୍ତୁ ଏବେ ଏହା ସୁନିଶ୍ଚିତ ହୋଇଛି। ମହାମାରୀ ବିଜ୍ଞାନୀମାନେ ଜାଣିବାକୁ ପାଇଛନ୍ତି ଯେ କରୋନା ସମୟରେ ଯେଉଁ ଦେଶରେ ନାଗରିକମାନେ ସବୁବେଳେ ମାସ୍କ ପିନ୍ଧୁଥିଲେ ସେଠି ସଂକ୍ରମଣ ଅପେକ୍ଷାକୃତ କମ୍ ହୋଇଛି। ବାୟୁରେ କରୋନା ଅଣୁରୁ ସଂକ୍ରମଣ ବ୍ୟାପୁଥିବା ତଥ୍ୟ କମ୍ ଦେଖିବାକୁ ମିଳିଥିଲେ ବି ବାୟୁରେ ଯେ କରୋନା ସଂକ୍ରମଣ ସମ୍ଭବ ତାହା ସୁନିଶ୍ଚିତ ହୋଇଛି।
ଏହି ତଥ୍ୟକୁ ଖୋଜି ପାଇବା ପାଇଁ ସିଏସ୍ଆଇର-ସିସିସିଏମ୍ବି, ହାଇଦ୍ରାବାଦ ଓ ସିଏସ୍ଆଇଆର୍-ଆଏମ୍ଟେକ୍ ଚଣ୍ଡିଗଡ଼, ହାଇଦ୍ରାବାଦ ଓ ମୋହାଲି ହସ୍ପିଟାଲର ମହାମାରୀ ବିଜ୍ଞାନୀ ମିଳିତ ଭାବେ ଗବେଷଣା କରିଥିଲେ। ଏହି ଗବେଷଣା ରିପୋର୍ଟ ‘ଜର୍ଣ୍ଣାଲ୍ ଏରୋସୋଲ୍ ସାଇନ୍ସ’ ପତ୍ରିକାରେ ପ୍ରକାଶ ପାଇଛି।
ଏହି ଗବେଷଣା ପାଇଁ ବୈଜ୍ଞାନିକମାନେ କୋଭିଡ୍ ରୋଗୀଥିବା ବିଭିନ୍ନ ସ୍ଥାନରୁ ଏୟାର ସାମ୍ପଲ ନେଇଥିଲେ। ଏଥିରେ ହସ୍ପିଟାଲ୍,କୋଭିଡ୍ ରୋଗୀ ରହିଥିବା ବନ୍ଦ ରୁମ୍ ଓ ହୋମ୍ କ୍ୱାରେଣ୍ଟିନରେ ଥିବା ଘରୁ ବାୟୁର ସାମ୍ପଲ ନିଆଯାଇଥିଲା। କୋଭିଡ୍ ରୋଗୀ ରହୁଥିବା ଆଖପାଖସ୍ଥାନରୁ ବାୟୁରୁ କରୋନା ଭୂତାଣୁ ଚିହ୍ନଟ କରାଯାଇଥିଲା। ଏବଂ ସେହିସବୁ ସ୍ଥାନରେ ସଂକ୍ରମଣ ବି ବଢ଼ିଥିବା ଦେଖିବାକୁ ମିଳିଥିଲା। ଏଥିରେ ଆହୁରି ଜଣାପଡ଼ିଥିଲା ଯେ ହସ୍ପିଟାଲ୍ର ଆଇସିୟୁ ଓ ନନ୍ଆଇସିୟୁ ରୁମ୍ରେ ବି କରୋନା ଭାଇରସ୍ ମିଳିଥିଲା। ଗଭୀର ସଂକ୍ରମଣ ସମୟରେ ରୋଗୀମାନଙ୍କ ଠାରୁ ଭୂତାଣୁ ବାୟୁରେ ପ୍ରବାହିତ ହୋଇଥିଲା।
ଏହି ଭାଇରସ୍ର ଜୀବିତ କଣିକା ବାୟୁରେ ବ୍ୟାପିବା ସହିତ ଦୂର ପର୍ଯ୍ୟନ୍ତ ସଂକ୍ରମଣ କରିବାର କ୍ଷମତା ରହିଛି ବୋଲି ଗବେଷଣାରୁ ଜଣାପଡ଼ିଛି। ତେଣୁ ସଂକ୍ରମଣ ବ୍ୟାପିବାରୁ ରୋକିବା ପାଇଁ ବୈଜ୍ଞାନିକମାନେ ସବୁବେଳେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି।
ଗବେଷଣାରେ ସାମିଲ ଥିବା ଜଣେ ବୈଜ୍ଞାନିକ ଶିବରଞ୍ଜନୀ ମୋହାରିର କହିଛନ୍ତି ‘ ଆମେ ଗବେଷଣା କରି ଜାଣିବାକୁ ପାଇଲୁ ଯେ କ୍ଲୋଜ ପ୍ଲେସ୍(ରୁମ)ରେ ବିନା ବାୟୁ ଚଳପ୍ରଚଳରେ କରୋନା ବାୟୁରେ କିଛି ସମୟ ପାଇଁ ରହିପାରେ। ଦୁଇ କିମ୍ବା ଏହାଠାରୁ ଅଧିକ ରୋଗୀ ଥିବା ରୁମ୍ରୁ ଯେଉଁ ଏୟାର ସାମ୍ପଲ ନିଆଯାଇଥିଲା ସେଥିରେ ପଜିଟିଭିଟି ରେଟ୍ ୭୫ ପ୍ରତିଶତ ଥିଲା। ସେହିପରି ଜଣେ କିମ୍ବା ଆଦୌ ରୋଗୀ ନଥିବା ରୁମ୍ରୁ ନିଆଯାଇଥିବା ଏୟାର ସାମ୍ପଲରୁ ୧୫.୮ ପ୍ରତିଶତ ପଜିଟିଭିଟି ମିଳିଛି।’
ତେବେ ପୂର୍ବ ଗବେଷଣା ରିପୋର୍ଟ ଭଳି ଏହି ଗବେଷଣା ରିପୋର୍ଟ ବି ସମାନ। ବାହାର ଅପେକ୍ଷା ରୁମ୍ ଭିତରେ ସାର୍ସ କୋଭ-୨ଆର୍ଏନ୍ଏ ଅଧିକ। ତେବେ କମ୍ୟୁନିଟି ଇଣ୍ଡୋର ସେଟିଂ ଅପେକ୍ଷା ବହୁଳ ସଂଖ୍ୟାରେ କୋଭିଡ୍ ରୋଗୀ ଥିବା ହସ୍ପିଟାଲ୍ ଏବଂ ହେଲ୍ଥକେୟାର ସେଣ୍ଟରେ ଅଧିକ ସଂକ୍ରମଣ ବ୍ୟାପୁଛି ବୋଲି ମହାରିର୍ କହିଛନ୍ତି।