ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ ଅପଡେଟ, କେଉଁଠି କରିବ ଲ୍ୟାଣ୍ଡଫଲ?
୭ ତାରିଖରେ ଅବପାତ, ୮ତାରିଖ ସନ୍ଧ୍ୟା ସୁଦ୍ଧା #ବାତ୍ୟା ସମ୍ଭାବନା
ଭୁବନେଶ୍ୱର: ଦକ୍ଷିଣ-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ୭ ତାରିଖରେ ଅବପାତ ଏବଂ #୮ତାରିଖ ସନ୍ଧ୍ୟା ସୁଦ୍ଧା #ବାତ୍ୟା ସମ୍ଭାବନା ଥିବାବେଳେ, ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ ଅପଡେଟ ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଆସନ୍ତାକାଲି ସନ୍ଧ୍ୟାରେ ଅବପାତର ରୂପ ନେବ । ୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହାପରେ ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ବର୍ତ୍ତମାନ ପାଇଁ ଓଡ଼ିଶା ଉପରେ କୌଣସି ପ୍ରଭାବ ବାତ୍ୟାର ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି ।
ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା କେଉଁ ଉପକୂଳ ଦେଇ ବାତ୍ୟା ଗତି କରିବ ତାହା ଜଣା ପଡିନାହିଁ । ଓଡ଼ିଶା ଉପକୂଳକୁ ଆସିବ କି ନାହିଁ ସେନେଇ ଏବେସୁଦ୍ଧା ସ୍ପଷ୍ଟ ଭାବେ କହିହେବନି । ସେହିଭଳି ବାତ୍ୟାର ରିକର୍ଭକୁ ନେଇ ଏଯାଏଁ କୌଣସି ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନି । ତେବେ ସମୟ ବିତିବା ସହ ଧୀରେ ଧୀରେ ଓଡ଼ିଶା-ଆନ୍ଧ୍ର ଉପକୂଳ ନିକଟରେ ସମୁଦ୍ର ଅଶାନ୍ତ ରହିବ ।
ତେଣୁ ମତ୍ସ୍ୟଜୀବୀ ମାନେ ୮ ତାରିଖ ସୁଦ୍ଧା ଉପକୂଳକୁ ଫେରି ଆସିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି ଆଇଏମଡି ଡିଜି । ୯ ତାରିଖରୁ ପବନର ବେଗର ସମୁଦ୍ର ଭିତରେ ତୀବ୍ର ହେବ । ଏହି ସମୟରେ ପବନର ବେଗ ସମୁଦ୍ରରେ ୮୦ରୁ ୯୦ କିଲୋମିଟର ରହିପାରେ । ୧୦ ତାରିଖରେ ଓଡ଼ିଶା ଉପକୂଳରେ ବର୍ଷା ସମ୍ଭାବନା ରହିଛି । ତେବେ ସମ୍ଭାବ୍ୟ ବାତ୍ୟାର ତୀବ୍ରତା କେତେ ରହିବ ଓ ଏହାର ପ୍ରଭାବ କଣ ପଡିବ ସେନେଇ ଆସନ୍ତାକାଲି ଅବପାତରେ ପରିଣତ ହେଲା ପରେ ଜଣାପଡିବ ।