ଗୋଷ୍ଠୀ ସଂକ୍ରମଣ ହେବ କି ମଙ୍କିପକ୍ସ!
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ଯେ, ମଙ୍କିପକ୍ସ ଭୂତାଣୁକୁ ନିୟନ୍ତ୍ରଣ କରାନଗଲେ ଏହା ଗୋଷ୍ଠୀ…
ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ଯେ, ମଙ୍କିପକ୍ସ ଭୂତାଣୁକୁ ନିୟନ୍ତ୍ରଣ କରାନଗଲେ ଏହା ଗୋଷ୍ଠୀ ସଂକ୍ରମଣର କାରଣ ହୋଇପାରେ । ବର୍ତ୍ତମାନ ୟୁରୋପ ଓ ଆମେରିକାରେ ଏହି ଭୂତାଣୁ ବ୍ୟାପିବାରେ ଲାଗିଛି । ପ୍ରାୟ ୨୦ଟି ଦେଶର ୨୦୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହେଲେଣି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛନ୍ତି ଏବେଠୁ ଭୂତାଣୁକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯିବା ଦରକାର । ଆବଶ୍ୟକ ପଡ଼ିଲେ କଣ୍ଟାକ୍ଟ ଟ୍ରେସିଂ, ଗୃହ ସଂଗରୋଧ ଭଳି ପଦକ୍ଷେପ ନିଆଯିବା ଦରକାର । ମଙ୍କିପକ୍ସ ଏକ ସାଧାରଣ ଭାଇରାଲ ଇନଫେକସନ ଭଳି । ଆଫ୍ରିକୀୟ ରାଷ୍ଟ୍ରରେ ଏହା ସାଧାରଣ ରୋଗରେ ପରିଣତ ହୋଇଛି । କିନ୍ତୁ ୟୁରୋପରେ ଏହା ଯେଭଳି ବ୍ୟାପୁଛି ତାହା ଅତ୍ୟନ୍ତ ଚିନ୍ତାଜନକ ।
ସେହିପରି ଭାରତରେ ପୁଣି ଆଉ ଗୋଟିଏ ଭାଇରସ ଲୋକଙ୍କ ଚିନ୍ତା ବଢାଇଦେଇଛି । ବିଶ୍ୱର ଅନେକ ଦେଶରେ ମଙ୍କିପକ୍ସ ଭାଇରସ ବ୍ୟାପିବାରେ ଲାଗିଛି । ମଙ୍କିପକ୍ସର ବଢୁଥିବା ସଂକ୍ରମଣକୁ ନେଇ ଭାରତ ସରକାର ମଧ୍ୟ ସତର୍କ ରହିଛନ୍ତି । ମଙ୍କିପକ୍ସକୁ ନେଇ ଆଇସିଏମଆର ବୈଜ୍ଞାନିକ ଅପର୍ଣ୍ଣା ମୁଖାର୍ଜୀ କହିଛନ୍ତି, ବିଶ୍ୱର ଅନେକ ଦେଶରେ ମଙ୍କିପକ୍ସ ମାମଲା ସାମ୍ନାକୁ ଆସୁଛି । ତେବେ ଭାରତରେ ଏହି ମାମଲା ସାମ୍ନାକୁ ଆସିନାହିଁ । ସେ କହିଛନ୍ତି, ସୁରକ୍ଷା ଦୃଷ୍ଟିରୁ ସରକାର ଏହା ଉପରେ ତୀଷ୍ନ ନଜର ରଖିଛନ୍ତି । ଯଦି ଭାରତରେ ଏହି ଭାଇରସ ନିଜର ପ୍ରାଦୁର୍ଭାବ ଦେଖାଏ ତେବେ ଦେଶ ଏହା ସହ ଲଢିବା ପାଇଁ ପ୍ରସ୍ତୁତ ରହିଛି ।
ସଂକ୍ରମିତକୁ ପାଖରେ ଥାଏ ଏହି ସବୁ ଲକ୍ଷଣ ମଙ୍କିପକ୍ସରେ ସଂକ୍ରମିତଙ୍କ ପାଖରେ ବିଭିନ୍ନ ଲକ୍ଷଣ ଥାଏ । କିଛି ସଂକ୍ରମିତଙ୍କ ପାଖରେ ସାମାନ୍ୟ ଭାବେ ଜ୍ୱର ଆସିଥାଏ । ଶରୀରରେ ପ୍ରବଳ ପିଡା ମଧ୍ୟ ଦେଖାଦେଇଥାଏ । ଅନେକ ସମୟରେ ଦେହରେ କୁଣ୍ଡାଇ ହେବା ସହ ଫଳି ଯାଇଥାଏ । ଡାକ୍ତରଙ୍କ କହିବା କଥା, ଏହି ଭାଇରସରେ ସଂକ୍ରମିତ ହେବା ପରେ ୨ରୁ ୩ ଦିନ ପରେ ଶରୀରରେ ଛୋଟ ଛୋଟ ଦାନା ଦେଖାଦେଇଥାଏ । ବର୍ତ୍ତମାନ ସୁଦ୍ଧା ୟୁରୋପ ଏବଂ ଆମେରିକାର ଅନେକ ସ୍ଥାନରୁ ସଂକ୍ରମଣର ମାମଲା ସାମ୍ନାକୁ ଆସିଛି । ଶିଶୁ ମାନଙ୍କ ପ୍ରତି ଆମକୁ ଅଧିକ ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଛି । ଏହି ମଙ୍କିପକ୍ସ ଭୂତାଣୁ କୌଣସି ନୂଆ ଭାଇରସ ନୁହେଁ ।
ସାରା ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଥିବା ମଙ୍କିପକ୍ସ ରୋଗ ସାଦାରଣ ଲୋକ ଏବଂ ସରକାରଙ୍କ ଚିନ୍ତା ବଢାଇଦେଇଛି । ଭାରତରେ ଏପର୍ଯ୍ୟନ୍ତ ଏହି ରୋଗର କୌଣସି ମାମଲା ସାମ୍ନାକୁ ଆସିନାହିଁ । ମାତ୍ର ସରକାର ଏଥିରୁ ବର୍ତ୍ତିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏ ଭିତରେ ଭାରତରେ ଏହି ରୋଗର ଯାଞ୍ଚ ପାଇଁ ନୂଆ ଆରଟି-ପିସିଆର କିଟ୍ ଲଞ୍ଚ କରିଛି । ଏହି କିଟ୍ ମାଧ୍ୟମରେ ଜଣାପଡିବ ଯେ ରୋଗୀଠାରେ ମଙ୍କିପକ୍ସର ଲକ୍ଷଣ ଅଛି କି ନାହିଁ । ସୂଚନାଯୋଗ୍ୟ ଯେ, ବ୍ରିଟେନ, ଜର୍ମାନୀ, ଇଟାଲୀ ସମେତ ବିଶ୍ୱର ପ୍ରାୟ ୨୯ ଦେଶରେ ଏହି ରୋଗୀ ଚିହ୍ନଟ ହୋଇସାରିଛନ୍ତି ।