ବର୍ଷାରେ ନଷ୍ଟ ହୋଇପାରେ ବନ୍ଦରରେ ପଡିରହିଥିବା ଗହମ!
ଯେଉଁ ଦେଶଗୁଡ଼ିକୁ ରପ୍ତାନି ଅନୁମତି ମିଳିଛି ସେମାନେ ହେଲେ ବାଂଲାଦେଶ, ଫିଲିପାଇନ୍ସ, ତାଞ୍ଜାନିଆ ଏବଂ ମାଲେସିଆ
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଗତ ମାସ ଗହମ ରପ୍ତାନି ଉପରେ କଟକଣା ଲଗାଇଥିଲେ । ତେବେ ୪୬୯,୨୦୨ ଟନ ଗହମ ରପ୍ତାନିକୁ କେନ୍ଦ୍ରୀୟ ଅନୁମତି ମିଳିଥିବାବେଳେ ବିଭିନ୍ନ ବନ୍ଦରରେ ଆଉ ୧.୭ ନିୟୁତ ଟନ ଗହମ ପଡ଼ିରହିଛି । ଆଗକୁ ମୌସୁମୀ ବର୍ଷା ମଧ୍ୟରେ ଏସବୁ ନଷ୍ଟ ହୋଇଯିବ ବୋଲି ଶିଳ୍ପ ଅଧିକାରୀମାନଙ୍କ ପକ୍ଷରୁ ଅନୁମାନ କରାଯାଇଛି ।
ତେବେ ଯେଉଁ ଦେଶଗୁଡ଼ିକୁ ରପ୍ତାନି ଅନୁମତି ମିଳିଛି ସେମାନେ ହେଲେ ବାଂଲାଦେଶ, ଫିଲିପାଇନ୍ସ, ତାଞ୍ଜାନିଆ ଏବଂ ମାଲେସିଆ । ଘରୋଇ ବଜାରରେ ଦର ନିୟନ୍ତ୍ରଣ ଲାଗି ସରକାର ଲଗାଇଥିବା କଟକଣା ଫଳରେ ମେ’ରେ ଦେଶରୁ ଗହମ ରପ୍ତାନି ହ୍ରାସ ପାଇଛି । ରପ୍ତାନିରେ ସାମାନ୍ୟ କୋହଳ କରାଯିବା ପରେ ବି ୧.୭ ନିୟୁତ ଟନ୍ ଗହମ ବନ୍ଦରଗୁଡ଼ିକରେ ପଡ଼ିରହିଛି ବୋଲି ଜଣାପଡିଛି ।