ଅଶାନ୍ତ ଆମେରିକା: ଚର୍ଚ୍ଚରେ ଗୁଳିମାଡ଼, ୨ ମୃତ

ବନ୍ଧୁକଧାରୀ ଜଣକ ଚର୍ଚ୍ଚ ଭିତରେ ପଶି ପ୍ରାୟ ୨୦ରୁ ୩୦ ରାଉଣ୍ଡ ଗୁଳି ଚଳାଇବା ଫଳରେ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟି..

ୱାଶିଂଟନ: ଆମେରିକାରେ ଗୁଳିମାଡ଼ ଘଟଣା ଥମିବାର ନାଁ ଧରୁନି । ସ୍କୁଲ ଓ ହସ୍ପିଟାଲ ପରେ ଏବେ ଚର୍ଚ୍ଚ ଓ ଶ୍ମଶାନରେ ଗୁଳିମାଡ଼ ଘଟଣା ଘଟିଛି । ଚର୍ଚ୍ଚରେ ହୋଇଥିବା ଗୁଳିମାଡ଼ରେ ୨ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି । ସେହିପରି ଶ୍ମଶାନରେ ହୋଇଥିବା ଆକ୍ରମଣରେ ୫ ଜଣ ଆହତ ହୋଇଛନ୍ତି । ଏକ ରିପୋର୍ଟ ଅନୁଯାୟୀ ଆମେରିକାର ଲୋୱା ଠାରେ ଥିବା କର୍ଣ୍ଣରଷ୍ଟୋନ ଚର୍ଚ୍ଚରେ ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳିମାଡ଼ କରିବା ଫଳରେ ୨ ଜଣ ଲୋକ ପ୍ରାଣ ହରାଇଛନ୍ତି ।

ପ୍ରକାଶ ଯେ, ଜଣେ ବନ୍ଧୁକଧାରୀ ଚର୍ଚ୍ଚ ଭିତରେ ପଶି ଗୁଳିମାଡ଼ କରିବା ଫଳରେ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ଏହାପରେ ବନ୍ଧୁକଧାରୀ ଜଣକ ନିଜକୁ ନିଜେ ଗୁଳି କରି ଦେଇଛି । ଅନ୍ୟପକ୍ଷରେ ଗ୍ରେସଲ୍ୟାଣ୍ଡ ଶ୍ମଶାନରେ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରାଯାଉଥିବା ବେଳେ ଗୁଳିମାଡ଼ ହୋଇଥିଲା ।

ବନ୍ଧୁକଧାରୀ ଜଣକ ପ୍ରାୟ ୨୦ରୁ ୩୦ ରାଉଣ୍ଡ ଗୁଳି ଚଳାଇ ସେଠାରୁ ଫେରାର ହୋଇଯାଇଛି । ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୂରା ଅଞ୍ଚଳକୁ କର୍ଡନ କରିବା ସହ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ଟେକ୍ସାସରେ ଥିବା ଗୋଟିଏ ସ୍କୁଲରେ ମଧ୍ୟ ଗୁଳିମାଡ଼ ହୋଇଥିଲା । ଏଥିରେ ୨୧ ଜଣ ପିଲାଙ୍କ ଜୀବନ ଯାଇଥିଲା ।