ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସଦ୍ୟତମ ଟେଷ୍ଟ ମାନ୍ୟତା ଜାରି କରିଛି । ଏଥିରେ ଇଂଲଣ୍ଡ ଦଳର ପୂର୍ବତନ ଅଧିନାୟକ ଜୋ ରୁଟ ଏବଂ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜମଙ୍କ ମାନ୍ୟତାରେ ଉନ୍ନତି ଘଟିଛି । ସେହିପରି ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ବୋଲିଂ ମାନ୍ୟତାରେ ହ୍ରାସ ଘଟିଛି । ବ୍ୟାଟିଂ ମାନ୍ୟତାର ଶୀର୍ଷ ୧୦ରେ ଦୁଇ ଜଣ ଭାରତୀୟ ଖେଳାଳି ରହିଛନ୍ତି । ରୋହିତ ଶର୍ମା ଏବଂ ବିରାଟ କୋହଲି ପୂର୍ବବତ କ୍ରମଶଃ ଅଷ୍ଟମ ଏବଂ ୧୦ମ ସ୍ଥାନରେ ରହିଛନ୍ତି । ଇଂଲଣ୍ଡର ଜୋ ରୁଟ ଦୁଇଟି ସ୍ଥାନ ଉପରକୁ ଉଠି ଦ୍ୱିତୀୟରେ ପହଞ୍ଚିଛନ୍ତି । ବାବର ଆଜମ ଗୋଟିଏ ସ୍ଥାନ ଉନ୍ନତି ଘଟାଇ ଚତୁର୍ଥ ସ୍ଥାନକୁ ଉଠିଛନ୍ତି।
ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ ଦୁଇଟି ସ୍ଥାନ ତଳକୁ ଖସି ପଞ୍ଚମରେ ପହଞ୍ଚିଛନ୍ତି । ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ମାର୍ନସ ଲାବୁସେନ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ ଗୋଟିଏ ସ୍ଥାନ ତଳକୁ ଖସି ତୃତୀୟରେ ରହିଛନ୍ତି । ବୋଲିଂ ମାନ୍ୟତାର ଶୀର୍ଷ ୧୦ରେ ଦୁଇ ଜଣ ଭାରତୀୟ ବୋଲର ଅଛନ୍ତି । ଏଥିରେ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଗୋଟିଏ ସ୍ଥାନ ଅବନ୍ନତି ଘଟି ଚତୁର୍ଥକୁ ଖସି ଆସିଛନ୍ତି ।