ହାଥ୍ରସ: ୧୯ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଲାଗି ହାଥ୍ରସରେ ପହଞ୍ଚିଛି ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ)ଟିମ୍। ଘଟଣାରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରିବାର ଗୋଟିଏ ଦିନ ପରେ ଉତ୍ତରପ୍ରଦେଶ ପୁଲିସ୍ଠାରୁ ଏହି ମାମଲାର ସମସ୍ତ ରେକର୍ଡ ସଂଗ୍ରହ କରିବା ପାଇଁ ମଙ୍ଗଳବାର ଦିନ ହାଥ୍ରସରେ ପହଞ୍ଚିଛି ଟିମ ।
ସିବିଆଇ ସୂତ୍ରରୁ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ, ଏହି ଘଟଣାର ତଦନ୍ତ ଅଧିକାରୀ କିଛି ଏଜେନ୍ସି ଅଧିକାରୀଙ୍କ ସହ ମିଶି ଯୁବତୀଙ୍କର କିଛି ଆବଶ୍ୟକୀୟ ଡାକ୍ତରୀ ରିପୋର୍ଟ ସଂଗ୍ରହ କରିବେ, ଯାହାକି ତଦନ୍ତରେ ସହାୟକ ହେବ। କାରଣ ସିବିଆଇ ଟିମ୍ ପହଞ୍ଚିବା ପୂର୍ବରୁ ବିବାଦୀୟ ହାଥ୍ରସ ଅଞ୍ଚଳରେ ବହୁ ସଂଖ୍ୟକ ପୁଲିସ୍ ନିୟୋଜିତ ହୋଇଥିଲେ।
ତେବେ ସିବିଆଇ ରବିବାର ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ମାମଲାର ତଦନ୍ତ କରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି।ଯାହା ଏହି ବିବାଦୀୟ ଘଟଣାର ପ୍ରକୁତ ସତ୍ୟକୁ ଉନ୍ମୋଚନ କରିବା।
ଅନ୍ୟପଟେ ପୀଡ଼ିତାଙ୍କ ପରିବାର ଲୋକେ ଯେପର୍ଯ୍ୟନ୍ତ ସେମାନଙ୍କୁ ନ୍ୟାୟ ନ ମିଳିଛି, ସେମାନେ ପୀଡ଼ିତାଙ୍କ ଅସ୍ଥି ବିସର୍ଜନ କରିବେ ନାହିଁ କହିଛନ୍ତି। କାରଣ ପରିବାରର ଅନୁପସ୍ଥିତିରେ ପୋଲିସ କାହାର ଶବ ଦାହ କରିଛି ସେ କଥା ମଧ୍ୟ ସେମାନଙ୍କୁ ଜଣା ନ ଥିବା କହିଛନ୍ତି। ଆହ୍ଲାବାଦ ହାଇକୋର୍ଟ ସୋମବାର ପୀଡ଼ିତ ପରିବାରଙ୍କ ବୟାନ ରେକର୍ଡ କରିବା ପାଇଁ ଲକ୍ଷ୍ମୌ ବେଞ୍ଚରେ ଉପସ୍ଥିତ ହେବାକୁ କହିଥିଲେ। ଯେଉଁଠି ପରିବାର ଲୋକେ ଏଭଳି ଅଭିଯୋଗ ଆଣିଛନ୍ତି। କେବଳ ସେତିକି ନୁହେ ପରିବାରକୁ ସୁରକ୍ଷା ମିଳୁ, ଦିଲ୍ଲୀ ବା ମୁମ୍ବାଇରେ ଶୁଣାଣି ହେଉ ଓ ତଦନ୍ତ ହେଉ ତାକୁ ସାର୍ବଜନୀନ କରା ନ ଯାଉ ବୋଲି ପରିବାର ଲୋକେ କୋର୍ଟରେ ତିନିଟି ଦାବି ରଖିଛନ୍ତି।

ଏହାସହ ସରକାରଙ୍କୁ ମଧ୍ୟ ହାଇକୋର୍ଟ ନିଜ ପକ୍ଷ ରଖିବାକୁ ଡାକିଥିଲେ। ୟୁପି ପୋଲିସ କଡ଼ା ସୁରକ୍ଷା ବଳୟ ଭିତରେ ପରିବାରକୁ ଲକ୍ଷ୍ମୌ ନେଇ ଥିଲା। ଏହା ପରେ ପୁଣି ପରିବାରକୁ ହାଥରସରେ ପହଞ୍ଚାଇ ଦିଆଯାଇଛି। ପରିବାର ଲୋକଙ୍କ ବୟାନ ଶୁଣିବା ପରେ କୋର୍ଟ ୟୁପି ସରକାରଙ୍କ ଉପରେ ବର୍ଷିଥିଲେ। କୋର୍ଟ କହିଥିଲେ ‘ଯଦି ଆପଣଙ୍କ ଝିଅ ହୋଇଥାନ୍ତା କ’ଣ ତା ମୁହଁ ନ ଦେଖି ଅନ୍ତିମ ସଂସ୍କାର କରିବାକୁ ଦେଇଥାନ୍ତେ।’
ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୧୪ ତାରିଖରେ ୪ ଜଣ ଯୁବକ ମିଶି ୧୯ ବର୍ଷୀୟା ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ସେ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ। ସେପ୍ଟେମ୍ବର ୨୯ ତାରିଖରେ ପୀଡ଼ିତା ଯୁବତୀଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।