ନାବାଳିକାଙ୍କୁ ୨୨ଦିନ ଧରି ଚିକେନସେଣ୍ଟର ରଖି ବଳାତ୍କାର,ଜଣେ ଗିରଫ

କଟକ (ଏସ୍‌ନ୍ୟୁଜ) : ୧୫ ବର୍ଷୀୟ ନାବାଳିକାଙ୍କୁ ଦିନେକି ଦୁଇଦିନ ନୁହେଁ, ଦୀର୍ଘ ୨୨ ଦିନ ଧରି କରାଯାଇଛି ବଳାତ୍କାର । ଘରେ ଛାଡିଦେବା ବାହାନାରେ ନାବାଳିକାକୁ ଅପହରଣ କରି ଏକ ଚିକେନସେଣ୍ଟରରେ ରଖି ଏଭଳି ଆମାନୁଷିକ କାଣ୍ଡ ଘଟାଇଛନ୍ତି ଦୁଇ ଜଣ ଅଭିଯୁକ୍ତ । କଟକ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଗତି ରାଉତପାଟଣା ଅଞ୍ଚଳରେ ଏହି ଘଟଣା ଘଟିଛି । ସ୍ଥାନୀୟ ପୋଲିସ ପିଡ଼ିତାଙ୍କୁ ଉଦ୍ଧାର କରି ଇଲଡ଼ଲାଇନ କୁ ହସ୍ତାନ୍ତର କରି ଘଟଣାର ତଦନ୍ତ ଆରମ୍ଭ କରିଛି ।


ଏହି ଘଟଣାରେ ସ୍ପେସିଆଲ ଟିମ ତଦନ୍ତ କରୁଥିବା ବେଳେ ଜଣେ ଗିରଫ ହୋଇଛି। ଏନେଇ କଟକ ଡିସିପି ସୂଚନା ଦେଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତକୁ ଖୋଜୁଛି ବୋଲି କହିଛନ୍ତି।

ଅନ୍ୟପଟେ ଦୁଷ୍କର୍ମ ଘଟଣାର ଅନୁଧ୍ୟାନ କରିବା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି। ଏହି କମିଟିରେ  ବିଜୟଲକ୍ଷ୍ମୀ ସାହୁ, ଶିବାନନ୍ଦ ରାୟ,  ପ୍ରତିମା ମଲ୍ଲିକ,  ରଶ୍ମି ମହାପାତ୍ର ଓ  ନିଶିକାନ୍ତ ମିଶ୍ର ରହିଛନ୍ତି। ଏହି କମିଟି ଖୁବ୍‍ ଶୀଘ୍ର ଘଟଣା ସ୍ଥଳ ଗସ୍ତ କରି ତଥ୍ୟ ଅନୁଧ୍ୟାନ କରିବେ ଓ ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦାଖଲ କରିବା ପାଇଁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

ଜଗତସିଂହପୁର ଅଞ୍ଚଳରେ ପୀଡ଼ିତାଙ୍କ ଘର । ପାରିବାରିକ କଳହକୁ ନେଇ ଏକ ମାସ ପୂର୍ବେ ନାବାଳିକା ଜଣକ ଘରଛାଡି ଆସି ପ୍ରଫେସର ପଡ଼ାରେ ଥିବ ବଡ଼ଭଉଣୀଙ୍କ ଘରେ ରହୁଥିଲେ । ବଡ଼ ଭଉଣୀଙ୍କ ଘରେ କୌଣସି କାରଣରୁ ପାଟିତୁଣ୍ଡ ହେବାରୁ ତାଙ୍କୁ ଘର ଯିବାକୁ ପଡିଥିଲା । ସେ ଘରକୁ ଯିବା ପାଇଁ ଓଏମପି ଛକରେ ବସ୍ କୁ ଅପେକ୍ଷା କରିଥିଲେ । ଟିକି ଓରଫ ସନ୍ତୋଷ ନାମକ ଜଣେ ଯୁବକ ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କୁ ବାଦାମ ବାଡି ଅଞ୍ଚଳକୁ ନେଇ ଆସି ଥିଲେ । ଆଉ ରାତି ହୋଇଯିବାରୁ ନାବାଳିକା ଘରକୁ ଫେରିବାକୁ ବ୍ୟସ୍ତ ହେବାରୁ ନାବାଳିକାକୁ ଜଗତସିଂହପୁର ତାଙ୍କ ଗ୍ରାମକୁ ନେବା ପରିବର୍ତ୍ତେ ଏକ ଚିକେନ୍ ସେଣ୍ଟେରକୁ ନେଇ ବଳ ପୂର୍ବକ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମର ଭିଡ଼ିଓ ଆଉ ଜଣେ ବନ୍ଧୁ ନିଜ ମୋବାଇଲ୍‌ରେ ରେକର୍ଡ କରିଥିଲେ ।

ଏପରିକି ଏ ଘଟଣା ସମ୍ପର୍କରେ ବାହାରେ ପ୍ରକାଶ କଲେ ଦୁଷ୍କର୍ମର ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଦେବେ ବୋଲି ଧମକ ଦେଇଥିଲେ । ଏହି ଦୁଇ ଜଣ ଯୁବକ ୨୨ ଦିନ ଧରି ଏହି ମହିଳାକୁ ଦୁଷ୍କର୍ମ କରି ଆସିଥିଲେ । ବିଶେଷ ସୁତ୍ରରୁ ଖବର ପାଇ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେବାରୁ ଚାଉଳିଆଗଞ୍ଜ ଥାନା ପୋଲିସ ଆସି ନାବାଳିକାଙ୍କୁ ଉଦ୍ଧାର କରିଥିଲା ।ଜିଲ୍ଲା ଶିଶୁ ମଙ୍ଗଳ ସମିତି (ସିଡବ୍ଲୁସି) ଅଧ୍ଯକ୍ଷା ମନ୍ଦାକିନି ଜେମାଙ୍କ ନିକଟରେ ନବମ ଶ୍ରେଣୀ ଛାତ୍ରୀର ବୟାନ ରେକର୍ଡ କରାଯାଇଛି ।

ପୀଡ଼ିତାଙ୍କ କହିବା ଅନୁଯାୟୀ ତାଙ୍କୁ ଦୁଇ ଜଣ ଯୁବକ ୨୨ ଦିନ ଧରି ଦୁଷ୍କର୍ମ କରିଥିଲେ । ଯେଉଁଠି ନାବାଳିକାଙ୍କୁ ରଖି ଧର୍ଷଣ କରିଥିଲେ ,ସେଠାରେ ମଧ୍ୟ କିଛି କଲେଜ ଛାତ୍ର ଆସି ସେମାନଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି ବୋଲି ପିଡିତା ଜଣଙ୍କ କହିଛନ୍ତି ।