ନୂଆଦିଲ୍ଲୀ: କରୋନା ପୁନଃ ସଂକ୍ରମଣ ଯୋଗୁ ବିଶ୍ୱରେ ପ୍ରଥମ ମୃତ୍ୟୁ ହୋଇଛି । କରୋନାରୁ ସୁସ୍ଥ ହେବାର ୫୯ ଦିନ ପରେ ପୁଣିଥରେ ଏହି ପ୍ରାଣଘାତକା ଭାଇରସରେ ଆକ୍ରାନ୍ତ ହୋଇଥିଲେ ଜଣେ ମହିଳା। ଏବେ ଏହି ମହିଳାଙ୍କର ମୃତ୍ୟୁ ଘଟିଛି। ଏଥିରେ ନେଦରଲ୍ୟାଣ୍ଡସରେ ୮୯ ବର୍ଷୀୟ ମହିଳା ପ୍ରାଣ ହରାଇଛନ୍ତି। ପୂର୍ବରୁ କରୋନାରୁ ସୁସ୍ଥ ହୋଇଥିବା ଲୋକ ପୁଣି ଏହି ଭାଇରସ କବଳରେ ପଡ଼ିବାର ଖବର ମିଳିଥିଲା। ପ୍ରଥମଥର ପାଇଁ କରୋନା ପୁନଃ ସଂକ୍ରମଣ ମାମଲା ଏବେ ସାମ୍ନାକୁ ଆସିଲା ।
ମୃତ ମହିଳା ଜଣଙ୍କ ବିରଳ ହାଡ଼ ଜନିତ କ୍ୟାନସରରେ ମଧ୍ୟ ପୀଡ଼ିତ ଥିଲେ। ସିଏନଏନରେ ପ୍ରକାଶିତ ଖବର ଅନୁଯାୟୀ, କରୋନାରୁ ସୁସ୍ଥ ହେବା ପରେ ମହିଳା ଜଣଙ୍କ ନିଜର କ୍ୟାନସର ପାଇଁ ଥେରାପୀ ନେଇଥିଲେ। ଏହି କାରଣରୁ ତାଙ୍କ ରୋଗପ୍ରତିରୋଧ ଶକ୍ତି ଏକ ନିର୍ଦ୍ଦିଷ୍ଟ ପରିମାଣରେ ସୀମିତ ହୋଇଯାଇଥିଲା। ତେଣୁ ଏବେ ତାଙ୍କର ଦେହାନ୍ତ ହୋଇଛି। ମହିଳା ଜଣଙ୍କ ଯେତେବେଳେ ପ୍ରଥମଥର କରୋନାରେ ଆକ୍ରାନ୍ତ ହୋଇଥିଲେ, ତାଙ୍କ ଶରୀରରେ ପ୍ରବଳ ଜ୍ୱର ଓ କଫର ଲକ୍ଷଣ ରହିଥିଲା। ଏହି କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାର ୫ ଦିନ ପରେ ସେ ସୁସ୍ଥ ହୋଇଯିବାରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା।
ତେବେ ସୁସ୍ଥ ହେବାର ଦୀର୍ଘ ୫୯ ଦିନ ପରେ ମହିଳାଙ୍କ ଶରୀରରେ ପୁଣିଥରେ କଫ, ଜ୍ୱର ଓ ନିଶ୍ୱାସ ଜନିତ ସମସ୍ୟା ଦେଖାଯାଇଥିଲା। ଏହି କାରଣରୁ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା ଓ ରିପୋର୍ଟ ପଜିଟିଭ ଆସିଥିଲା। ଏହାର ୪ର୍ଥ ଓ ୬ଷ୍ଠ ଦିନ ତାଙ୍କର ପୁଣି ପରୀକ୍ଷା କରାଯାଇଥିଲେ ହେଁ କୌଣସି ଆଣ୍ଟିବଡି ସୃଷ୍ଟି ହୋଇନଥିବା ଦେଖିବାକୁ ମିଳିଥିଲା। ୮ ଦିନ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଥିଲା ଏବଂ ୨ ସପ୍ତାହ ପରେ ତାଙ୍କର ମୃତ୍ୟୁ ଘଟିଥିଲା।