ନୂଆଦିଲ୍ଲୀ: ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଏକପାଖିଆ ରିପୋର୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ବିଶେଷ କରି ଗୋଟିଏ ନ୍ୟୁଜ ରିପୋର୍ଟରେ ବିଚାରପତିଙ୍କୁ ଟର୍ଗେଟ କରଯାଇଥିବାରୁ ସୁପ୍ରିମକୋର୍ଟ ମିଡିଆକୁ ସୀମା ଭିତରେ ରହିବାକୁ ପରାମର୍ଶ ଦେଇଛନ୍ତି । ବିଚାରପତିଙ୍କୁ ଟାର୍ଗେଟ କରିବାର ଗୋଟିଏ ସୀମା ରହିଛି । ବିଭିନ୍ନ ଖ୍ରୀଷ୍ଟିଆନ ସଂପ୍ରଦାୟର ଅନୁଷ୍ଠାନ ଉପରେ ଆକ୍ରମଣ ଘଟଣା ବଢ଼ୁଥିବା ବେଳେ ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି । କିନ୍ତୁ କୋର୍ଟ ଏହାର ଶୁଣାଣିରେ ବିଳମ୍ବ କରିଥିବାରୁ ଗୋଟିଏ ମିଡିଆ ହାଉସ ବିଚାରପତିଙ୍କୁ ପରୋକ୍ଷରେ ଟାର୍ଗେଟ କରିଥିଲା ।
ଉକ୍ତ ଆବେଦନର ଶୁଣାଣି ବେଳେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ବଡ଼ କଥା କହିଛନ୍ତି । ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତ ଗତଥର ଏହି ଆବେଦନର ଶୁଣାଣି ହୋଇ ପାରି ନଥିଲା । କାରଣ ମୁଁ କୋଭିଡରେ ଆକ୍ରାନ୍ତ ଥିଲି । ହେଲେ ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇଥିଲେ ଯେ ସୁପ୍ରିମକୋର୍ଟ ଶୁଣାଣିରେ ବିଳମ୍ବ କରୁଛନ୍ତି । କିନ୍ତୁ ମନେ ରଖନ୍ତୁ, ବିଚାରପତିଙ୍କୁ ଟାର୍ଗେଟ କରିବା ପାଇଁ ଆପଣମାନଙ୍କ ପାଖରେ ସୀମା ରହିଛି । କିଏ ଏହି ନ୍ୟୁଜ ସବୁ ଏଠାରୁ ବାହାରକୁ ଦେଉଛି । ଅନଲାଇନରେ ମୁଁ ନ୍ୟୁଜ ଦେଖିଲା ବେଳକୁ ବିଚାରପତି ଶୁଣାଣିକୁ ବିଳମ୍ବିତ କରୁଥିବା ଲେଖାଯାଇଛି । ଗତଥର ଜଣେ ବିଚାରପତି କୋଭିଡରେ ଆକ୍ରାନ୍ତ ଥିବାରୁ ମାମଲାର ଶୁଣାଣି କରାଯାଇ ପାରିନଥିଲା । ବରିଷ୍ଠ ଆଇନଜୀବୀ କୋଲିନ ଗୋନସାଲଭେସ ଜୁନ ମାସରେ ସୁପ୍ରିମକୋର୍ଟର ଅବକାଶକାଳୀନ ବେଞ୍ଚ ନିକଟରେ ଗୋଟିଏ ଆବେଦନ ଦାଖଲ କରିଥିଲେ । ଏଥିରେ ସେ କହିଥିଲେ ଯେ ଖ୍ରୀଷ୍ଟିଆନ ଅନୁଷ୍ଠାନଗୁଡ଼ିକ ଉପରେ ପ୍ରତି ମାସରେ ୪୫ରୁ ୫୦ ଥର ଆକ୍ରମଣ କରାଯାଉଛି । ଏହି ସଂଖ୍ୟା ଏବେ ବଢ଼ିଲାଣି । ତେଣୁ ଖ୍ରୀଷ୍ଟିଆନମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେ ଦାବି କରଥିଲେ ।