ଅର୍ପିତାଙ୍କ ଘର ନା କୁବେର ଭଣ୍ଡାର!

କୋଲକାତା: ବିଡା ବିଡା ନୋଟ, ଗଦା ଗଦା ଟଙ୍କା ସହ ଭରି ଭରି ସୁନା । ଯେତେ ଖୋଜିଲେ ସେତେ ବାହାରୁଛି । ଘର ତ ନୁହେଁ ଇଏ କୁବେର ଭଣ୍ଡାର । ଆଉ ଏ ଭଣ୍ଡାର ହେଉଛି ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କର । ଯେଉଁଠି ଭରି ରହିଛି ଅମାପ ଟଙ୍କା ଓ ସୁନା । ଯାହାକୁ ଦେଖି ତାଜୁବ ଇଡି ଅଧିକାରୀ । ପ୍ରଥମେ ୨୧ କୋଟି ନଗଦ ଟଙ୍କା ମିଳିଥିଲା । ଆଜି ମିଳିଛି ଆଉ ୨୯ କୋଟି । ଯୁଆଡେ ଚାହିଁବ ଖାଲି ଟଙ୍କା ଓ ଟଙ୍କା । ୧୮ ଘଣ୍ଟା ଧରି ଅର୍ପିତାଙ୍କ ଆଉ ଏକ ଘରେ ରେଡ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର ଟିମ । କୋଲକାତାର ବେଲଘରିଆରେ ଥିବା ଅର୍ପିତାଙ୍କ ଘରୁ ୧୦ ଟ୍ରଙ୍କ ଟଙ୍କା ଜବତ ହୋଇଛି । ଏଥିସହ ୫ କିଲୋ ଓଜନର ସୁନା ଅଳଙ୍କାର ମଧ୍ୟ ଇଡି ହାତରେ ଲାଗିଛି ।

ଗତକାଲି ପୁଳା ପୁଳା ଟଙ୍କା ଠାବ ହେବା ପରେ ରାତି ସାରା ଅନିଦ୍ରା ହୋଇ ଇଡି ଓ ବ୍ୟାଙ୍କ ଅଧିକାରୀ ମାନେ ଟଙ୍କା ଗଣିଥିଲେ । ଏବେ ସୁଦ୍ଧା ଅର୍ପିତାଙ୍କ ୨ଟି ବାସଭବନରୁ ସମୁଦାୟ ୫୦ କୋଟି ଟଙ୍କା ଜବତ ହୋଇ ସାରିଥିବା ବେଳେ ହିସାବ ଜାରି ରହିଛି । ୨୦୧୪ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀଙ୍କ ଏକାଧିକ ସ୍ଥାନରେ ଇଡି ବାରମ୍ବାର ଚଢ଼ାଉ କରି ଚାଲିଛି । ବେଲଘରିଆରେ ଅର୍ପିତାଙ୍କର ଦୁଇଟି ଫ୍ଲାଟ ଅଛି । ଇଡି ଅଧିକାରୀମାନେ ଗତକାଲି ସେଠାରେ ଚଢ଼ଉ ପାଇଁ ପହଞ୍ଚିଥିଲେ ।