ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ଦଳର ଉତ୍ତମ ବୋଲି ପରେ ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ପାକିସ୍ତାନକୁ ପରାଜୟର ମୁହଁ ଦେଖିବାକୁ ମିଳିଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ମହିଳା ଦଳ ୯୯ ରନ କରିଥିଲା । ପରେ ଭାରତୀୟ ଦଳ ୨ ୱିକେଟ ହରାଇ ୧୦୨ ରନ କରିବା ସହ ବିଜୟୀ ହୋଇଥିଲା । ୧୦୦ ରନର ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଭାରତୀୟ ସେଫାଳି ବର୍ମା ୧୬ ରନ କରି ଆଉଟ ହୋଇଥିଲେ ।
ହେଲେ ସ୍ମୃତି ମନ୍ଧାନା କ୍ରିଜରେ ଜମି ରହି ଅପରାଜିତ ୬୩ ରନ କରିଥିଲେ । ତେବେ ଦ୍ୱିତୀୟ ୱିକେଟ ଭାବେ ସବଭିନେଇ ମେଘନା ୧୪ ରନରେ ଆଉଟ ହୋଇଥିଲେ । ତାଙ୍କ ପରେ ଆସିଥିବା ଜେମିମା ୨ ରନ କରି ଅପରାଜିତ ଥିଲେ । ମନ୍ଧନା ଚୌକା ମାରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ । ୧୧.୪ ଓଭର ଖେଳି ଭାରତ ବିଜୟ ଲକ୍ଷ୍ୟ ପୂରଣ କରିଥିଲା ।