ଚୀନକୁ ତ୍ରାହି ନାହିଁ; ହେନାନ୍‌ରେ ଫସିଛନ୍ତି ୮୦,୦୦୦ ପର୍ଯ୍ୟଟକ

ସାରା ଦୁନିଆକୁ କରୋନା ମହାମାରୀ ରପ୍ତାନୀ କରି ଖୋଦ୍‌ ଚୀନ ଶାନ୍ତିରେ….

ବେଜିଂ: ସାରା ଦୁନିଆକୁ କରୋନା ମହାମାରୀ ରପ୍ତାନୀ କରି ଖୋଦ୍‌ ଚୀନ ଶାନ୍ତିରେ ନିଃଶ୍ୱାସ ମାରିପାରୁନି । କଥାରେ ଅଛି,‘ଯେ ପାଂଚେ ପରମନ୍ଦ, ତା ମନ୍ଦ ପାଂଚନ୍ତି ଗୋବିନ୍ଦ’ । ବିଶ୍ୱରେ ପ୍ରାୟ ୬ କୋଟି ଲୋକଙ୍କୁ କରୋନା ଘାଂଟି ସାରିଲାଣି । କରୋନା ଭୂତାଣୁ ଆଉ ଲୋପ ପାଇବାର ପ୍ରଶ୍ନ ଉଠୁନାହିଁ । ଅନ୍ୟ ଭୂତାଣୁ ପରି କରୋନା ଏବେ ଲୋକଙ୍କ ନିକଟରେ ଲୁଚି ରହିବ, ସମୟ ସୁଯୋଗ ଦେଖି ଆକ୍ରମଣ କରିବ । ଏମିତି ତ ଚୀନ୍‌ରେ ବୈଦେଶିକ ସମ୍ବାଦ ସଂସ୍ଥାକୁ ସହଜରେ ପ୍ରବେଶ ପାଇଁ ଅନୁମତି ମିଳି ନଥାଏ । ତଥାପି କାଁ ଭାଁ ବିଦେଶୀ ସମ୍ବାଦ ସଂସ୍ଥାକୁ ସୁଯୋଗ ମିଳିଲେ ମଧ୍ୟ ସେମାନଙ୍କୁ ନାନା କଟକଣା ମାନି ଚଳିବାକୁ ପଡ଼ିଥାଏ ।

ନିକଟରେ ଏକ ଖବର ସାମ୍ନାକୁ ଆସିଛି, ଚୀନର ହେନାନ୍‌ ପ୍ରଦେଶରେ ପ୍ରାୟ ୮୦ ହଜାରରୁ ଅଧିକ ପର୍ଯ୍ୟଟକ ଏ ଯାବତ୍‌ ଫସି ରହିଛନ୍ତି । ଅବଶ୍ୟ ଫସିଥିବା ସବୁ ପର୍ଯ୍ୟଟକ ଚୀନ୍‌ର । ଚୀନ ସୀମାନ୍ତକୁ ସିଲ କରି ଦିଆଯିବା ଫଳରେ ପର୍ଯ୍ୟଟକଙ୍କୁ ବିଦେଶ ଯାତ୍ରା ମନା । ତେଣୁ ସ୍ୱଦେଶୀ ପର୍ଯ୍ୟଟକମାନେ ବୁଲିବାକୁ ଯାଇ ହେନାନରେ ଅଟକିଛନ୍ତି । ନିକଟରେ ହେନାନ୍‌ରେ ଏକାଧିକ କରୋନା ସଂକ୍ରମିତଙ୍କୁ ଠାବ କରାଯିବା ପରେ ପ୍ରାଦେଶିକ ସରକାର ଲୋକାଲ୍‌ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି । ତେଣୁ ସେଠାକାର ହୋଟେଲ, ମୋଟେଲ ଓ ରିସର୍ଟରେ ପର୍ଯ୍ୟଟକମାନେ ଅଟକି ରହିଛନ୍ତି । ଡାକ୍ତରୀ ପରୀକ୍ଷାରେ ନେଗେଟିଭ ରିପୋର୍ଟଧାରୀଙ୍କୁ ହେନାନ୍‌ ଛାଡ଼ିବାକୁ ଅନୁମତି ଦିଆଯାଉଛି । ହେନାନ୍‌ରେ ଅଟକି ରହିଥିବା ଜଣେ ପର୍ଯ୍ୟଟକ ହେଉଛନ୍ତି ପେଶାରେ ଇଞ୍ଜିନିୟର । ତାଙ୍କ ମତରେ ସେ ଚୀନର ପ୍ରମୁଖ ସହର ସାଂଘାଇ ବୁଲିବାକୁ ଯାଇ କରୋନା କଟକଣାର ଶିକାର ହେଲେ । ସେତେବେଳେ ସାଂଘାଇ ଅପେକ୍ଷା ହେନାନ୍‌ର କରୋନା କଟକଣା ଆପାତତଃ କୋହଳ ଥିଲା । ତେଣୁ ସାଂଘାଇ କଟକଣାଠାରୁ ସାମାନ୍ୟ ଆଶ୍ୱସ୍ତ ହେବା ଲକ୍ଷ୍ୟରେ ସେମାନେ ହେନାନ୍‌କୁ ପଳାଇ ଆସିଲେ । ମାତ୍ର ଏବେ ମହରଗରୁ ଯାଇ କାନ୍ତାରରେ ପଡ଼ିଛୁ । ଘରଲୋକଙ୍କ ସହିତ ଫୋନ୍‌ରେ ଯାହା କଥା ହେଉଛୁ । ହୋଟେଲରେ ପଡ଼ି ରହିଛୁ, କିନ୍ତୁ ଘରଲୋକଙ୍କ କଥା ମନେପକାଇ କାନ୍ଦିବା ଛଡ଼ା ଅନ୍ୟ ରାସ୍ତା ନାହିଁ । ସୂଚନାଯୋଗ୍ୟ, ଚୀନ୍‌ର ସୌନ୍ଦର୍ଯ୍ୟମୟୀ ଦ୍ୱୀପ ହେଉଛି ହେନାନ୍‌ । ହେନାନର ଜନସଂଖ୍ୟା ପ୍ରାୟ ୧୦ ଲକ୍ଷ । ସୁନ୍ଦର ଉପକୂଳ, ମନମତାଣିଆ ପବନ, ସୁସ୍ଥ ପରିବେଶ ପାଇଁ ଉକ୍ତ ଦ୍ୱୀପଟି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ।