ମୁମ୍ବାଇ: ଲକ୍ଷେ କି କୋଟିଏ ନୁହେଁ, ଏକାଥରେ ମିଳିଛି ନଗଦ ୫୮ କୋଟି ଟଙ୍କା । ସେହିପରି ୩୨ କେଜି ଓଜନର ସୁନା । ଆୟକର ବିଭାଗ ରେଡ ବେଳେ ମହାରାଷ୍ଟ୍ରର ଜଣେ ବ୍ୟବସାୟୀଙ୍କ ଘରୁ ଏତେ ପରିମାଣର ସମ୍ପତ୍ତି ମିଳିଛି । ଏହାକୁ ଦେଖି ଅଧିକାରୀମାନେ ଜଳକା ହୋଇ ଯାଇଛନ୍ତି । ଏହି ବ୍ୟବସାୟୀ ଜଣଙ୍କ ଷ୍ଟିଲ, କପଡ଼ା ଓ ରିୟଲଇଷ୍ଟେଟ ବ୍ୟବସାୟ କରନ୍ତି । ବ୍ୟବସାୟୀଙ୍କର ମୋଟ ୩୯୦ କୋଟି ଟଙ୍କାର ବେଆଇନ ସମ୍ପତ୍ତିକୁ ଜବତ କରାଯାଇଛି । ଏହା ମଧ୍ୟରେ ନଗଦ ୫୮ କୋଟି ଟଙ୍କା ଓ ୩୨ କେଜି ସୁନା ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଜଲନା ଓ ଔରଙ୍ଗାବାଦରେ ଥିବା ବ୍ୟବସାୟୀଙ୍କ ଅଫିସ, ଫ୍ୟାକ୍ଟ୍ରୀ ଓ ଘରେ ଏକାକାଳୀନ ଅଧିକାରୀମାନେ ଚଢ଼ଉ କରିଥିଲେ । ଏହି ସମୟରେ ବ୍ୟବସାୟୀଙ୍କ ଘରୁ ୫୦୦ ଓ ୨ହଜାର ଟଙ୍କିଆ ବିଡ଼ାକୁ ଘରର ବିଭିନ୍ନ ସ୍ଥାନରେ ରଖାଯାଇଥିଲା । ଏହାସହ ୩୨ କେଜି ସୁନା, ହୀରା ଓ ମୋତି ମିଳିଛି ।
ସେହିପରି ଅଫିସ କାଗଜପତ୍ର ଯାଞ୍ଚ କରିବା ବେଳେ ସେ ବେଆଇନ ଭାବେ ମୋଟ ୩୯୦ କୋଟି ଟଙ୍କା ରଖିଥିବା ମଧ୍ୟ ଜଣାପଡ଼ିଛି । ଟିକସ ଫାଙ୍କିବା ପାଇଁ ବ୍ୟବସାୟୀ ଜଣଙ୍କ ନିଜ ଆୟକୁ କାଗଜପତ୍ରରେ କମ ଦେଖାଉଥିଲେ । ଜାଲ କାଗଜପତ୍ର ଜରିଆରେ ସେ କୋଟି କୋଟି ଟଙ୍କା ଚଳୁ କରି ନେଇଥିବା ଅଭିଯୋଗ ପରେ ଆୟକର ବିଭାଗ ରେଡ ଆରମ୍ଭ କରିଥିଲା । ଘରୁ ମିଳିଥିବା ଟଙ୍କାକୁ ଗଣିବା ପାଇଁ ପ୍ରାୟ ୧୩ ଘଣ୍ଟା ସମୟ ଲାଗିଥିଲା । ରେଡରେ ମୋଟ ୨୬୦ ଜଣ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ । ଏମାନେ ୫ଟି ଟିମ୍ରେ ଭାଗ ହୋଇ ବ୍ୟବସାୟୀଙ୍କ ଠିକଣାଗୁଡ଼ିକ ଉପରେ ଚଢ଼ଉ କରିଥିଲେ । ତେବେ ଆୟକର ବିଭାଗ ପକ୍ଷରୁ ଅଧିକାରୀଙ୍କ ନାଁ ସାର୍ବଜନୀନ କରାଯାଇନି ।