ବିଶ୍ୱର ସବୁଠାରୁ ଉଚ୍ଚତମ ‘ଚେନାବ ସେତୁ’

HIGHEST BRIDGE IN WORLD..

ଶ୍ରୀନଗର: ଶେଷ ପର୍ଯ୍ୟାୟରେ ପହଂଚିଛି ଜମ୍ମୁ-କଶ୍ମୀରର ଚେନାବ ସେତୁ । ସାରାବିଶ୍ୱକୁ ଆଶ୍ଚର୍ଯ୍ୟ କରି ଚେନାବ ସେତୁ ଉପରେ ନିର୍ମିତ ସବୁଠାରୁ ଉଚ୍ଚତମ ରେଳବାଇ ସେତୁର ଅନ୍ତିମ ଢଳେଇ କାମ ଶେଷ ହୋଇଛି । ବହୁ ପ୍ରତିକ୍ଷୀତ ସେତୁର ସଂଯୋଗ କାମ ସରିବା ପରେ କାର୍ଯ୍ୟରତ ଅଧିକାରୀ ଓ ଶ୍ରମିକମାନେ ଆନନ୍ଦ ଉଲ୍ଲାସ ଭିତରେ ତ୍ରିରଙ୍ଗା ଉଡ଼ାଇବା ସହ ବାଣ ଫୁଟାଇଥିଲେ । ଏହି ରେଳବାଇ ସେତୁ ନିର୍ମାଣ କରିବା ପାଇଁ ୨୮,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । କୋଙ୍କଣ ରେଳବାଇ ଅଧ୍ୟକ୍ଷ ସଂଜୟ ଗୁପ୍ତାଙ୍କ ସୂଚନା ମୁତାବକ ଯାବତୀୟ ପ୍ରତିକୂଳ ପାଗ, ଉଚ୍ଚତମ ସ୍ଥାନ, ପ୍ରବଳ ଥଣ୍ଡା କାରଣରୁ ରେଳବାଇ ସେତୁ ନିର୍ମାଣ ପାଇଁ ବହୁତ ଦିନ ଲାଗିଛି ।

ସେତୁଟି ରିୟାସୀ ଜିଲ୍ଲାର ବକ୍କଲ ଓ କୌଡ଼ୀକୁ ସଂଯୋଗ କରୁଚି । ନଦୀପୃଷ୍ଠରୁ ସେତୁର ଉଚ୍ଚତା ପ୍ରାୟ ୩୫୯ ମିଟର ଯାହା ଏଫିଲ ଟାୱାରଠାରୁ ୩୫ ମିଟର ଉଚ୍ଚ । ସେତୁଟି ୧୭ଟି କେବୁଲ ବଳରେ ଠିଆ ହୋଇଛି । ରିକ୍ଟର ସ୍କେଲରେ ୮ ତୀବ୍ରତା ସମ୍ପନ୍ନ ଭୂକମ୍ପ ସହିବାର କ୍ଷମତା ରଖିଛି ଚେନାବ ସେତୁ । ତା’ ସହିତ ଘଂଟା ପ୍ରତି ୨୬୦ କିମି ଗତିବିଶିଷ୍ଟ ପବନରେ ମଧ୍ୟ ସେତୁଟି କ୍ଷତିଗ୍ରସ୍ତ ହେବ ନାହିଁ ।

ସେତୁ ଉପରେ କୌଣସି ବିସ୍ଫୋରଣ ପ୍ରଭାବ ପଡ଼ିବନି । ଆତଙ୍କୀ ହମ୍‌ଲାକୁ ଦୃଷ୍ଟିରେ ରଖି ସେତୁ ନିର୍ମାଣ କରାଯାଇଛି । ଏହି ରେଳବାଇ ସେତୁ ଫଳରେ ଦେଶର ଅନ୍ୟାନ୍ୟ ସହର ସହିତ ଜମ୍ମୁ-କଶ୍ମୀର ଯୋଡ଼ି ହୋଇଯାଇଛି । ଏବେ ବେନିହାଲ ଓ ବାରମୂଳା ମଧ୍ୟରେ ରେଳଲାଇନ୍‌ ଅଛି । ମାତ୍ର କଟରା-ବେନିହାଲ ମଧ୍ୟରେ ରେଳଲାଇନ୍‌ ନାହିଁ । ଏବେ ସେତୁଟିର ୯୮ ଭାଗ କାମ ସରିଛି; ଆସନ୍ତା ଡିସେମ୍ବର ସୁଦ୍ଧା ସେତୁଟିର ଲୋକାର୍ପଣ ସମ୍ପନ୍ନ ହେବ ।