ଆତଙ୍କୀ ସହ ବନ୍ଧୁତା: ବିଦା ହେଲେ ୪୦ ଚାକିରିଆ

ମୋଦୀ ସରକାରଙ୍କ ପାଇଁ ଖୋଲା ଚାଲେଞ୍ଜ…

ଶ୍ରୀନଗର: ଗୋଟିଏ ପଟେ ସରକାରୀ ଚାକିରି, ଆରପଟେ ଉପୁରି ରୋଜଗାର ପାଇଁ ଆତଙ୍କୀ ସଂଗଠନ ସହ ସଲାସୁତୁରା । ଏମିତି ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କୁ ଖୋଜିବା ସହିତ ବିନା ତଦନ୍ତରେ ଚାକିରିରୁ ବିଦା ପ୍ରକ୍ରିୟା ଆରମ୍ଭ କରିଛନ୍ତି ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା । ଆତଙ୍କୀଙ୍କ ପାଇଁ ପାଣ୍ଠି ସଂଗ୍ରହ କରି ପୁଲିସ ହାତରେ ଧରା ପଡ଼ିଥିବା ବିଟ୍ଟା କରାଟେଙ୍କ ପତ୍ନୀ ଅସବାହ-ଉଲ-ଅର୍ଜମନ୍ଦ ଖାନ୍‌ଙ୍କ ସମେତ ପାଂଚଜଣ ପଦସ୍ଥ ଅଧିକାରୀଙ୍କୁ ଚାକିରିରୁ ବିଦା କରାଯାଇଛି । ବହିଷ୍କୃତ ଅଧିକାରୀମାନେ ବିଭିନ୍ନ ଉପାୟରେ ଆତଙ୍କୀ ସଂଗଠନ ପାଇଁ କାମ କରୁଥିଲେ ।

ତେବେ ସୂଚନା ଯୋଗ୍ୟ, ତଡ଼ା ଖାଇଥିବା ଅଧିକାରୀଙ୍କ ଭିତରେ ବୈଜ୍ଞାନିକ ମୁହିତ୍‌ ଅହମ୍ମଦ ଖାନ୍‌, କଶ୍ମୀର ବିଶ୍ୱବିଦ୍ୟାଳୟର ବରିଷ୍ଠ ସହକାରୀ ପ୍ରଫେସର ମାଜିଦ ହୁସେନ୍‌ କାଦ୍ରୀ ଓ ପାକ୍‌ ଆତଙ୍କ ସଂଗଠନ ହିଜବୁଲ ମୁଜାହିଦ୍ଦିନ୍‌ ମୁଖ୍ୟ ସୈୟଦ ସଲାହୁଦ୍ଦିନ୍‌ଙ୍କ ପୁଅ ସୈୟଦ ଅବଦୁଲ୍‌ ମୁଇଦ୍‌ ଅଛନ୍ତି । ଜମ୍ମୁ-କଶ୍ମୀର ଲିବରେସନ୍‌ ସାମ୍ମୁଖ୍ୟ ମୁଖିଆ ବିଟ୍ଟା କରାଟେଙ୍କ ପତ୍ନୀ ଅସବାହ-ଉଲ-ଅର୍ଜମନ୍ଦ ଖାନ୍‌ ୨୦୧୧ ବ୍ୟାଚ୍‌ର ଜମ୍ମୁ-କଶ୍ମୀର ପ୍ରଶାସନିକ ସେବା ଅଧିକାରୀ ଥିଲେ । ସେ ଆତଙ୍କୀଙ୍କ ପାଇଁ ଜାଲ୍‌ ପାସ୍‌ପୋର୍ଟ ପ୍ରସ୍ତୁତିରେ ସାହାଯ୍ୟ କରୁଥିଲେ । ତା’ ସହିତ ଆତଙ୍କୀ ସଂଗଠନ ପାଇଁ ପାଣ୍ଠି ଯୋଗାଡ଼ କରୁଥିଲେ ବୋଲି କୁହାଯାଉଛି ।

ସେହିପରି ହିଜବୁଲ ମୁଜାହିଦ୍ଦିନ୍‌ ମୁଖ୍ୟଙ୍କ ପୁଅ ସୈୟଦ ଅବଦୁଲ ଏକାଧିକ ଆତଙ୍କୀ ହମ୍‌ଲାରେ ସଂପୃକ୍ତ ଅଛନ୍ତି । ଏ ଯାବତ୍‌ ୪୦ରୁ ଅଧିକ ସରକାରୀ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଜମ୍ମୁ-କଶ୍ମୀରର ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଭିତରୁ ବହୁ କର୍ମଚାରୀ ଆତଙ୍କ ସଂଗଠନ ପାଇଁ ପ୍ରତ୍ୟକ୍ଷ ଅବା ପରୋକ୍ଷରେ କାମ କରୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ବିଶ୍ୱାସଘାତକ କର୍ମଚାରୀଙ୍କୁ ଚିହ୍ନଟ କରିବା ସରକାରଙ୍କ ପାଇଁ ଖୋଲା ଚାଲେଞ୍ଜ ପାଲଟିଛି ।